ଓମିକ୍ରନ୍ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

18

ଗତକାଲି ରାଜ୍ୟରେ ଦୁଇ ଜନ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏହା ସାଙ୍ଗକୁ ରାଜଧାନୀକୁ ପୁଣି ଥରେ କୋଂଟେନମେଣ୍ଟ ଫେରିଛି I ରାଜଧାନୀ ରେ ମଧ୍ୟ ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଉଭୟ ଓମିକ୍ରନ୍‌ ଓ କୋଭିଡ ଆକ୍ରାନ୍ତ ବ୍ୟକ୍ତିମାନେ ନିକଟରେ ବିଦେଶରୁ ଯଥାକ୍ରମେ ନାଇଜେରିଆ ଏବଂ କାତାର ରୁ ଫେରିଥିଲେ ବୋଲି ଜଣ ପଡିଛି I ଏହାର ମୁକାବିଲା ନେଇ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଆଜି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।
ମୁଖ୍ୟତଃ ୫ଟି ପ୍ରସଙ୍ଗକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜୋରଦାର ସର୍ଭେଲାନ୍ସ, ବ୍ୟାପକ ଟିକାକରଣ, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ନୂଆ ବର୍ଷ ଅବସରରେ ବିଭିନ୍ନ ସ୍ଥାନରେ ଭିଡ଼ ବଢ଼ିବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଆଲୋଚନା ହୋଇଛି। କଟକଣା ବଢାଇବାକୁ ଜିଲ୍ଲାପାଳ, ମୁନିସିପାଲ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା ଲାଗୁ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେହିଭଳି ସ୍କୁଲ ଓ କଲେଜରେ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବ୍ୟବସ୍ଥା କରାଯିବ। ଯଦି, ଆବଶ୍ୟକ ପଡ଼େ ଗାଇଡ୍ଲାଇନ ଆସିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଏବେ ବି ବହୁତ ଲୋକ କରୋନା ଟିକା ନେଇ ନାହାନ୍ତି। ତେଣୁ ବାକି ଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ନିର୍ଦେଶ ଦେଇଛନ୍ତି। କୋଭିଡ୍ ଆକ୍ରାନ୍ତଙ୍କ CT ଭ୍ୟାଲୁ ଅଧିକ ଥିଲେ ସେମାନଙ୍କ ଜିନମ୍ ସିକୁଏନ୍ସିଂ କରାଯିବ ବୋଲି ଦୋହରାଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର। ସେହିପରି ନୂଆବର୍ଷ ପାଇଁ ମଧ୍ୟ ଗାଇଡଲାଇନ୍‌ ଆସିପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.