କୋଭାଭାକ୍ସର ବୁଷ୍ଟର ଡୋଜ୍‌ ହେଇପାରେ ଗେମ ଚେଞ୍ଜର : ଓମିକ୍ରନ ପାଇଁ ବୁଷ୍ଟର ଡୋଜ ଜରୁରୀ

16

କରୋନା ଭାଇରସ୍ ର ନୂତନ ପ୍ରଜାତି ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ଦେଶରେ ବଢୁଛି I ଏଥିପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଟୀକାକରଣ କୁ ଜୋରଦାର କରିବା ସହିତ ବୁଷ୍ଟର ଡ଼ୋଜ଼ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି I ଟୀକା ପ୍ରସ୍ତୁତ କ୍ଷେତ୍ରରେ ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବହୁତ ସଫଳତା ମିଳିଛି I ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସେରମ୍ କରୋନା ଟିକା କୋଭୋଭାକ୍ସକୁ ଅନୁମୋଦନ କରିଛି Iସେରମ ଇନଷ୍ଟିଚ୍ୟୁଟ ତିଆରି କରିଥିବା କୋଭାଭାକ୍ସର ଜରୁରୀ କାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି। ଏହାପରେ ଭାରତର ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ଦେଶରେ କୋଭାଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଓମିକ୍ରନ ଭୟ ସୃଷ୍ଟି ହୋଇଥିବା ବେଳେ କୋଭାଭାକ୍ସର ବୁଷ୍ଟର ଡୋଜ୍‌ ଗେମ ଚେଞ୍ଜର ହୋଇପାରିବ ବୋଲି ବୈଜ୍ଞାନିକ ଜଣଙ୍କ ଆଶା କରିଛନ୍ତି।
ସରକାରଙ୍କ ଜେନୋମ ସିକ୍ୱେନ୍ସିଂ ମନିଟରିଂ ଏଜେନ୍ସି(Indian SARS-CoV-2 Genomics Consortium)ର ଅନ୍ୟତମ ନିର୍ଦ୍ଦେଶକ ଅନୁରାଗ ଅଗ୍ରୱାଲ କହିଛନ୍ତି, “କୋଭାଭାକ୍ସ ଶକ୍ତିଶାଳୀ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହେଉଛି ଓ ଏହାର ସୁରକ୍ଷା କବଚ ବେଶ ଭଲ।”
କୋଭାଭାକ୍ସ ହେଉଛି ଆମେରିକାରେ ପ୍ରସ୍ତୁତ ହୋଇଥିବା ନୋଭାଭାକ୍ସର ଭାରତୀୟ ଭର୍ସନ। ନୋଭାଭାକ୍ସରୁ ଲାଇସେନ୍ସ ଆଣି ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାକୁ ଉତ୍ପାଦନ କରୁଛି। ଏହା ପ୍ରୋଟିନ ଭ୍ୟାକସିନର ରିକମ୍ବିନେସନ, ଯାହା ଜଣଙ୍କ ଶରୀରରେ କେମିତି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ, ସେକଥା ସ୍ପାଇକ ପ୍ରୋଟିନକୁ ଶିଖାଇଥାଏ।
ଅନୁରାଗ ଅଗ୍ରୱାଲ କହିଛନ୍ତି, କୋଭିସିଲ୍ଡ ତୁଳନାରେ କୋଭାଭାକ୍ସ ବହୁତ ଭଲ। କୋଭାଭାକ୍ସର ବୁଷ୍ଟର ଡୋଜ୍‌ ଅଧିକ ସୁରକ୍ଷା ଦେଇ ପାରିବ। କୋଭାଭାକ୍ସ ଭାଇରସ ବିରୋଧରେ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହେଉଛି। ତେବେ ଓମିକ୍ରନ ବିରୋଧରେ ଏହାକ କେତେ ସଫଳ, ସେକଥା ଜାଣିବା ପାଇଁ ଅଧିକ କ୍ଲିନିକାଲ ଟ୍ରାଏଲର ଆବଶ୍ୟକତା ରହିଛି।
ତଥାପି ଏହା ଓମିକ୍ରନ ବିରୋଧରେ ଅନ୍ୟ ଟିକା ଗୁଡ଼ିକ ତୁଳନାରେ ଅଧିକ ଫଳପ୍ରଦ ହେବ ବୋଲି ଆଶା। କାରଣ ବେଟା ଭାରିଏଣ୍ଟ ବିରୋଧରେ ଏହା ୫୦% ସୁରକ୍ଷା ଦେଇପାରୁଛି। କୋଭିସିଲ୍ଡ ତୁଳନାରେ ଏହା ଅଧିକ ଫଳପ୍ରଦ। ତେଣୁ କୋଭିସିଲ୍ଡ ଅପେକ୍ଷା କୋଭାଭାକ୍ସର ବୁଷ୍ଟର ଡୋଜ୍‌ ଅଧିକ ଭଲ।
କୋଭାଭାକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବା ଭାରତ ପାଇଁ ଭଲ ଖବର। ତେଣୁ ଭାରତ ସରକାର ସମୟ ନଷ୍ଟ ନ କରି ତୁରନ୍ତ କୋଭାଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ଦେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
କୋଭାଭାକ୍ସ ବା ଭାରତ ବାହାରେ ନୋଭାଭାକ୍ସ ଭାବେ ପରିଚିତ ଏହି ଟିକାର ଦୁଇଟି ଡୋଜ୍‌ କରୋନା ବିରୋଧରେ ୯୦.୪% ସୁରକ୍ଷା ଦେଇ ପାରୁଥିବା କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକାରେ ୨୯,୯୬୦ ଜଣ ଲୋକଙ୍କୁ ନେଇ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବ୍ରିଟେନରେ କରାଯାଇଥିଲା। ୨୦୨୦ ସେପ୍ଟେମ୍ବର ମାସରେ କରାଯାଇଥିବା ଏହି ଟ୍ରାଏଲ ବେଳେ ଭାଇରସ ବିରୋଧରେ ଏହା ୯୬% ସଫଳ ହୋଇଥିବା ଜଣାପଡ଼ିଛି।
କମ୍ପାନୀ ପ୍ରଥମେ ପୁରୁଣା କରୋନା ଭାଇରସ ଭାରିଏଣ୍ଟ ପାଇଁ ଏହି ଟିକା ବାହାର କରିଥିଲା। ଏବେ ନୂଆ ଭାରିଏଣ୍ଟ ପାଇଁ ଟିକା ବିକଶିତ କରାଯାଇଛି।

Leave A Reply

Your email address will not be published.