ରାଜ୍ୟରେ ନିର୍ମାଣ ହେବ ଆଉ ୮୯ ଇନ୍‌ଡୋର ଷ୍ଟାଡ଼ିୟମ : କ୍ୟାବିନେଟ

30

ଆଜି ରାଜ୍ୟ କ୍ୟାବିନେଟ ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ୮୯ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ । ଏଥି ପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଯାହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । 5T କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ ଓ କ୍ରୀଡ଼ାବିତ୍ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଅଛି ।
ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡ଼ିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍‌ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ଯାହା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ , ସଭା ପରିଚାଳନା , ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୁତ ହେବ I ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି ।

Leave A Reply

Your email address will not be published.