ୟୁକ୍ରେନ୍ ଉପରେ ୮୪ କ୍ଷେପଣାସ୍ତ୍ର ମାଡ଼, ୧୩ ମୃତ

44

ମସ୍କୋ: ରୁଷ୍ ପକ୍ଷରୁ ସୋମବାର ୟୁକ୍ରେନ୍‌ର ରାଜଧାନୀ କିଏଭ୍ ସମେତ ବିଭିନ୍ନ ସହର ଉପରେ ୮୪ଟି କ୍ଷେପଣାସ୍ତ୍ର ମାଡ କରାଯାଇଛି । ଏଭଳି ପ୍ରଚଣ୍ଡ ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । କ୍ଷେପଣାସ୍ତ୍ର ମାଡରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଇତ୍ୟାଦି ଧରାଶାୟୀ ହୋଇଛି ବୋଲି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଡେନିସ ସ୍ମିଗାଲ ସୂଚନା ଦେଇଛନ୍ତି । ଚଳିତବର୍ଷ ଫେବୃଆରୀ ୨୪ରୁ ରୁଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି ବିବେଚନା କରାଯାଉଛି । କିଏଭ୍ ସମେତ ଏକାଧିକ ସହରରେ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ବିଚ୍ଛିନ୍ନ ହୋଇପଡିଥିବାବେଳେ ଲୋକେ ଘନ ଅନ୍ଧକାରରେ କାଳାତିପାତ କରୁଥିବା ଲକ୍ଷ୍ୟ କରାଯାଇଛି । ଦୁଇଦିନ ପୂର୍ବେ ୟୁକ୍ରେନ୍ ପକ୍ଷରୁ କର୍ଚ ବ୍ରିଜ୍ ଉପରେ ୟୁକ୍ରେନ ପକ୍ଷରୁ ବୋମାମାଡ କରାଯାଇଥିଲା । ଏଥିରେ ବ୍ରିଜ୍ ଭୁଶୁଡି ପଡିବା ସହ ରୁଷ୍‌-କ୍ରିମିଆ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପଡିଥିଲା । ୟୁକ୍ରେନ୍‌ର ଏଭଳି ଆକ୍ରମଣର ଉଚିତ ପ୍ରତିଶୋଧ ନିଆଯିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଘୋଷଣା କରିଥିଲେ । ତଦନୁଯାୟୀ ସୋମବାର ରୁଷ୍ ପକ୍ଷରୁ କିଏଭ୍ ଓ ଦକ୍ଷିଣ-ପଶ୍ଚିମ ୟୁକ୍ରେନ୍‌ର ଏକାଧିକ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଆକ୍ରମଣରେ ରକ୍ତାକ୍ତ ହୋଇଥିବା ଲୋକେ ପ୍ରାଣ ବିକଳରେ କିଏଭ୍ ସହରର ଏଣେତେଣେ ଦୌଡୁଥିବାର ଦୃଶ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ରୁଷ୍‌ର ଏଭଳି ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ‘ଆତଙ୍କବାଦ’ ଆଖ୍ୟା ଦେଇଛନ୍ତି । ତେବେ ରୁଷ୍ ସେନା ପକ୍ଷରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ମଧ୍ୟରୁ ୪୧ଟି କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଧ୍ୱଂସ କରାଯାଇଛି ବୋଲି ୟୁକ୍ରେନ୍ ସେନାଧ୍ୟକ୍ଷ ଦାବି କରିଛନ୍ତି । ଆଗକୁ ଏଭଳି ଆକ୍ରମଣ ଜାରି ରହିବାର ଆଶଙ୍କା ଉପୁଜିଥିବାରୁ ୟୁକ୍ରେନବାସୀଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି । ଇଭାନୋ-ଫ୍ରାନ୍‌ସକୋଭ୍ ଅଞ୍ଚଳରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହା ୟୁକ୍ରେନ୍ ସମେତ ପଡୋଣୀ ହେଙ୍ଗେରୀ, ରୋମାନିଆ ଓ ସ୍ଲୋଭାକିଆର କେତେକ ସହରକୁ ମଧ୍ୟ ବିଦ୍ୟୁତ ଶକ୍ତି ଯୋଗାଣ କରିଥାଏ । ଆକ୍ରମଣର ଶିକାର ପାଲଟିଥିବା ଏଲଭିଭ୍‌, ଓଲତାଭା, ଖାର୍ଖିଭ୍‌, ଝାଇତୋମିର ଭଳି ସହରରେ ଇଣ୍ଟରନେଟ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ଏହି ଆକ୍ରମଣ କେବଳ ଏକ ଟ୍ରେଲର ବୋଲି ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦ୍‌ଭେଦେଭଖ କହିଛନ୍ତି । ଆଗକୁ ୟୁକ୍ରେନ୍ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିବ ବୋଲି ସେ ଚେତାବନୀ ଦେଇଛନ୍ତି । ମେଦଭେଦେଭ୍ ବର୍ତ୍ତମାନ ରୁଷ୍ ସିକ୍ୟୁରିଟୀ କାଉନସିଲ ଉପମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି । ରୁଷ୍ ପକ୍ଷରୁ ଇରାନ ଦ୍ୱାରା ନିର୍ମିତ ଡ୍ରୋନ୍ ବ୍ୟବହାର କରାଯାଇଥିବା ମଧ୍ୟ ୟୁକ୍ରେନ୍ ଅଭିଯୋଗ କରିଛି ।
ୟୁରୋପୀୟ ସଂଘର ତୀବ୍ର ନିନ୍ଦା: ୟୁକ୍ରେନ୍ ଉପରେ ରୁଷ୍‌ର ଏଭଳି ଆକ୍ରମଣକୁ ୟୁରୋପୀୟ ସଂଘ (ଇୟୁ) ତୀବ୍ର ନିନ୍ଦା କରିଛି । ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କ ଉପରେ ଏଭଳି ଅମାନବୀୟ ଆକ୍ରମଣ ଦ୍ୱାରା ରୁଷ୍ ଯୁଦ୍ଧ ଅପରାଧ ଘଟାଇଛି ବୋଲି ଇୟୁ ପକ୍ଷରୁ କୁହାଯାଇଛି । ଏଭଳି କାପୁରୁଷ ନୀତି ଆପଣାଇବା ଫଳରେ ରୁଷ୍ ବିଶ୍ୱଯୁଦ୍ଧ ସ୍ଥିତି ସୃଷ୍ଟି କରୁଛି ବୋଲି ଇୟୁ ବୈଦେଶିକ ବିଭାଗ ମୁଖ୍ୟ ଜୋସେଫ ବାରୋଲ ଅଭିଯାଗ କରିଛନ୍ତି । ରୁଷ୍ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଜଣାଇବା ଉଚିତ ବୋଲି ସେ କହିଛନ୍ତି । ରୁଷ୍‌ର ପାଲଟା ଆକ୍ରମଣ ଯୁଦ୍ଧକୁ ନୂତନ ରୂପ ଦେଇପାରେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.