ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ

72

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ  ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରାଜକନିକା, ଆଳି ଓ ମହାକାଳପଡା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି। ସେହିପରି ଭଦ୍ରକ ଜିଲାରେ ୨୪,୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଜିଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ଧାମନଗରରେ ଅଧିକ କ୍ଷତି ଘଟିଛି। ବାଲେଶ୍ୱର ଜିଲାରେ ୩୧୪୦ ହେକ୍ଟର, ମୟୂରଭଞ୍ଜ ଜିଲାରେ ୨୩୮୧ ହେକ୍ଟର ଜମି ବର୍ଷା ଯୋଗୁଁ ନଷ୍ଟ ହୋଇଛି। ଯାଜପୁରରେ ୨୭୦୯ ହେକ୍ଟର, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି, ବର୍ଷା କମିବା ଯାଏଁ ଲୋକାମାନେ ସାମାନ୍ୟ ହଇରାଣ ହେବେ। ସେପଟେ ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌। ଏନେଇ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ। ଆଗାମୀ ୭ଦିନରେ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପଠାଯିବ। କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.