ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ,ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

29

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଏକା ଥରକେ ୭୭ ଜଣ ଛାତ୍ର ଛାତ୍ରୀ ୟୁକ୍ରେନ ରୁ ଫେରିଛନ୍ତି I ଦୀର୍ଘ ୧୨ ଦିନ ର ଆଶା ଆଶଙ୍କା ପରେ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ ରୁ ଫେରି ନିଜ ମାଟିରେ ପାଦ ଦେଇଛନ୍ତି ଛାତ୍ରଛାତ୍ରୀ ମାନେ I ସେମାନଙ୍କୁ ସ୍ବାଗତ କରିବା ପାଇଁ ଆଜି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରୁ ଓଡ଼ିଆ ପିଲାଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଛନ୍ତି ତାକୁ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଯୋଗେ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମା’ ଙ୍କ ଆଖି ଓଦା ହୋଇ ଯାଉଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଚିର କୃତଜ୍ଞ ହୋଇଥିଲେ ଅଭିଭାବକ ମାନେ । ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ I ଏହା ସହିତ ମେଡିକାଲ ପଢା ପ୍ରସଙ୍ଗକୁ ଗୁରୁତର ସହ ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠପଢ଼ା କିପରି ଭାରତରେ ହୋଇ ପାରିବ ସେନେଇ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ନବୀନ । ସେହିଭଳି ଏ ବାବଦରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ଭବିଷ୍ୟତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭିଳି ପଦକ୍ଷେପକୁ ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed, but trackbacks and pingbacks are open.