କଳିଙ୍ଗ ଷ୍ଟାଡିୟମ୍ ଠାରେ ଆରମ୍ଭ ହେଲା ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

168

ଭୁବନେଶ୍ୱର, ୧୮/୦୯: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆଜି ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଯାଇଛି। କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ଏବଂ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୯୦୦ ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ଏଥି ମଧ୍ୟରୁ ୨୬୮ ମହିଳା କ୍ରୀଡ଼ାବିତ୍‌ ଭାଗ ନେଇଥିବାର ସୂଚନା ମିଳିଛି।

ଆଜି ପ୍ରଥମ ଦିନରେ କ୍ରୀଡ଼ାବିତ୍‌ମାନେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିବା ୪୦ରୁ ଅଧିକ ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଆଜି ପ୍ରଥମ ଦିନରେ ହିଁ କ୍ରୀଡ଼ାବିତ୍ ମାନଙ୍କ ଦ୍ୱାରା ୫ଟି ନୂତନ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି। ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା।

  1. ମୟୂରଭଞ୍ଜର ପ୍ରଦୀପ ମହାନ୍ତ ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ୧୪ ମିନିଟ୍ ୫୬.୯୪ ସେକେଣ୍ଡ ସମୟ ସହ ନୂଆ ମିଟ୍ ରେକର୍ଡ ସୃଷ୍ଟି କରିଛନ୍ତି।
  2. ୨୩ ବର୍ଷରୁ କମ୍ ବାଳକ ହାଇଜମ୍ପ ପ୍ରତିଯୋଗିତାରେ କଟକର ନିଖିଲ ଦାସ ୨.୦୧ ମିଟର ଉଚ୍ଚତା ସହ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଛନ୍ତି।
  3. କଟକର ଚିରଞ୍ଜିବ ସିଂହ ୨୩ ବର୍ଷରୁ କମ୍ ସଟ୍ ପୁଟ୍ ଇଭେଣ୍ଟ (ବାଳକ ବର୍ଗ) ରେ ୧୩.୯୧ ମିଟର ଫିଙ୍ଗି ନୂଆ ମିଟ୍ ରେକର୍ଡ ସୃଷ୍ଟି କରିଛନ୍ତି।
  4. ପି ଅର୍ପିତା ଅର୍ଚ୍ଚନା ସାହୁ ୨୦ ବର୍ଷରୁ କମ୍ ବାଳିକା ଜାଭେଲିନ୍ ପ୍ରତିଯୋଗିତାରେ ୪୨.୯୮ ମିଟର ଫିଙ୍ଗି ନୂଆ ମିଟ୍ ରେକର୍ଡ ସୃଷ୍ଟି କରିଛନ୍ତି।
  5. ୨୩ ବର୍ଷରୁ କମ୍ ବାଳିକା ଜାଭେଲିନ୍ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ଧନମତି ଜେସ୍ (Dhanmati Xess) ୪୧.୬୭ ମିଟର ଫିଙ୍ଗି ନୂଆ ମିଟ୍ ରେକର୍ଡ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ ସେପ୍ଟେମ୍ବର ୧୮ ରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା-ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର, ଓଡ଼ିଶା କ୍ରୀଡ଼ାବିଭାଗ ଅଧୀନରେ ଥିବା କ୍ରୀଡ଼ା ହଷ୍ଟେଲରେ ପ୍ରଶିକ୍ଷଣ ନେଉଥିବା ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏଥିସହ ଓଡ଼ିଶା ପୁଲିସ, ଡାକ ସେବା, ବିଏସ୍ଏନ୍ଏଲ୍ ଓ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀମାନେ ମଧ୍ୟ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Comments are closed, but trackbacks and pingbacks are open.