ବିଭିନ୍ନ ବନ୍ଦରରେ ଖତ ଖାଉଛି ୬ ଲକ୍ଷ ଟନ୍ ଚାଉଳ

68

ନୂଆଦିଲ୍ଲୀ: ଚାଉଳ ରପ୍ତାନି ଉପରେ ଭାରତ ସରକାର କଟକଣା ଜାରି ରହିଥିବାରୁ ଏହାର ପ୍ରଭାବ ଚାଉଳ ବ୍ୟବସାୟୀଙ୍କ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି । ଏହି କାରଣରୁ ପ୍ରାୟ ପନ୍ଦର ଦିନ ହେବ ଦେଶର ବିଭିନ୍ନ ବନ୍ଦରରେ ପ୍ରାୟ ୬ ଲକ୍ଷ ଟନ୍ ଚାଉଳ ପଡି ଖତ ଖାଉଛି । ଏଗୁଡିକୁ ବିଦେଶକୁ ରପ୍ତାନୀ କରିବା ପାଇଁ ୨୦ଟି ପଣ୍ୟବାହୀ ଜାହାଜ ମଧ୍ୟ ବନ୍ଦରଗୁଡିକରେ ଅଟକିଥିବା ଜଣାପଡିଛି । ବନ୍ଦର କର୍ତ୍ତୃପକ୍ଷ ଡ୍ୟାମେରେଜ୍ ଲାଗୁ କରୁଥିବାରୁ ଚାଉଳ ବ୍ୟବସାୟୀଙ୍କୁ ଅଯଥାରେ ଜୋରିମାନା ପୈଠ କରିବାକୁ ପଡୁଛି । ସୂଚନାଯୋଗ୍ୟ ସେପ୍ଟେମ୍ବର ୮ରୁ ଭାରତ ସରକାର ବିଭିନ୍ନ ପ୍ରକାର ଚାଉଳର ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରିବା ସହ ଭଙ୍ଗା ଚାଉଳ ରପ୍ତାନିକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ଚାହିଦା ପୂରଣ କରିବା ସହ ଦେଶବାସୀଙ୍କୁ କମ ମୂଲ୍ୟରେ ଚାଉଳ ଯୋଗାଇବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ମୌସୁମୀରେ ଅପେକ୍ଷାକୃତ କମ ବର୍ଷା ହୋଇଥିବାରୁ ଏହାର ପ୍ରଭାବ ଚାଉଳ ଉତ୍ପାଦନ ଉପରେ ପଡିଛି । ତେବେ ଅକସ୍ମାତ୍ କଟକଣା ଜାରି କରିବା ଫଳରେ ବନ୍ଦରଗୁଡିକରେ ଲକ୍ଷାଧିକ ଟନ ଚାଉଳ ପଡିରହିଥିବାବେଳେ ପଣ୍ୟବାହୀ ଜାହାଜଗୁଡିକ ମଧ୍ୟ ଅନୋନ୍ୟପାୟ ହୋଇ ଫସିରହିଛନ୍ତି । ଉଭୟ ଚାଉଳ ବ୍ୟବସାୟୀ ଏବଂ ଜାହାଜ ମାଲିକଙ୍କୁ ଜୋରିମାନା ଗଣିବାକୁ ପଡୁଥିବାରୁ ସରକାର ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରାଯାଇଛି ବୋଲି ଚାଉଳ ରପ୍ତାନିକାରୀ ସଂଘର ସଭାପତି ବି.ଭି.କ୍ରିଷ୍ଣାରାଓ କହିଛନ୍ତି । ଜାହାଜରେ ପରିବହନ କରାଯିବାକୁ ୬ ଲକ୍ଷ ଟନ ଚାଉଳ ପଡିରହିଥିବାବେଳେ ବନ୍ଦର ଗୋଦାମରେ ଆଉ ୪ ଲକ୍ଷ ଟନ ଚାଉଳ ଜମା ହୋଇରହିଥିବା ସେ ସୂଚନା ଦେଇଛନ୍ତି । କଟକଣା ଲାଗୁ ହେବାପୂର୍ବରୁ ଚାଉଳ ବ୍ୟବସାୟୀମାନେ ବିଦେଶ କମ୍ପାନୀ ସହ ଦରଦାମ ଚୂଡାନ୍ତ କରିସାରିଛନ୍ତି । ବର୍ତ୍ତମାନ ୨୦ ପ୍ରତିଶତ ଟିକସ ଲାଗୁ କରାଯାଇଥିବାରୁ ବିଦେଶୀ କମ୍ପାନୀ ବର୍ଦ୍ଧିତ ମୂଲ୍ୟ ଦେବାକୁ ଅମଙ୍ଗ ହେଉଥିବା ଜଣାପଡିଛି । ଅପରପକ୍ଷରେ ଟିକସ ପୈଠକରି କ୍ଷତି ସହିବାକୁ ବ୍ୟବସାୟୀ ସଂଘ ମଧ୍ୟ ଉଚିତ ମଣୁନାହିଁ । ଚୀନ୍‌, ସେନେଗାଲ ଓ ଜିବୋତି ଭଳି ରାଷ୍ଟ୍ର ଭାରତରୁ ଭଙ୍ଗା ଚାଉଳ ଆମଦାନି କରୁଥିବାବେଳେ ଶ୍ରୀଲଙ୍କା, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍‌ସ ଓ ବେନିନ୍ ଭଳି ୧୫୦ଟି ରାଷ୍ଟ୍ରକୁ ଭଲ ଚାଉଳ ରପ୍ତାନି କରାଯାଇଥାଏ । ଭାରତରୁ ଚାଉଳ ରପ୍ତାନି ବନ୍ଦ ହୋଇଗଲେ, ଏହି ରାଷ୍ଟ୍ରଗୁଡିକର ଖାଦ୍ୟ ସମସ୍ୟା ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.