ରାଜ୍ୟରୁ ବିଏସ୍‌କେୱାଇରେ ଚିକିତ୍ସିତ ହେଲେଣି ୬.୩୧ ଲକ୍ଷ

29

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ବିଶେଷ ଅଗ୍ରଗତି ହାସଲ କିରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ୱୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ବିଏସ୍‌କେୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି. କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବିଏସ୍‌କେୱାଇରେ ଚିକିତ୍ସା ସୁବିଧା ପାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି । ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ନିୟୋଜିତ ଥିବା ସ୍ୱାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ବିଏସ୍‌କେୱାଇରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି । ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି । ରାଜ୍ୟର ବିଭିନ୍ନ ଦୂରଦୂରାନ୍ତ ଅଞ୍ଚଳମାନଙ୍କରେ ବିଏସ୍‌କେୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ଏହାବ୍ୟତୀତ ଯେ କୌଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରି ନମ୍ବର ୧୦୪ କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଛନ୍ତି । ନିଜର ବିଏସ୍‌କେୱାଇ କାର୍ଡର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୌଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରି ନମ୍ବରକୁ ଫୋନ କରି ଜଣାଉଛନ୍ତି ଏବଂ ସେହି ସମସ୍ୟାର ସମାଧାନ କରାଯାଉଛି । ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରି ନମ୍ବର ୧୪୫୪୫, ଟ୍ୱିଟର୍ ଆକାଉଣ୍ଟ ଓ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଜଣାଉଛନ୍ତି; ଯାହାକୁ ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି । ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଦେଶ ଦେଇଥିଲେ । ସଂପୂର୍ଣ୍ଣ ସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ ।

Comments are closed, but trackbacks and pingbacks are open.