ଝାରପଡ଼ା ଜେଲରେ ୫ କଏଦୀ ଅସୁସ୍ଥ: କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

63

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୫ ଜଣ କଏଦୀ ଅସୁସ୍ଥ ହୋଇପଡ଼ିଛନ୍ତି। ଗତକାଲି ରାତିରେ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି କଏଦୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଜେଲ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ କଏଦୀମାନେ ଫୁଡ୍ ପଏଜନିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କାରାଗାର ପରିସରରେ ଉତ୍ତେଜନା ସହ ଅନ୍ୟ କଏଦୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଉ କିଛି କଏଦୀ ମଧ୍ୟ ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସେଠାରେ ବନ୍ଧୁକଧାରୀ ପୋଲିସ କର୍ମୀ କଡ଼ା ନଜର ରଖିଛନ୍ତି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଜେ ହସ୍ପିଟାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ଅସୁସ୍ଥ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଅନ୍ୟପକ୍ଷରେ, ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିପାରିନାହିଁ।

Comments are closed, but trackbacks and pingbacks are open.