ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର

15

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ରେଳ ଷ୍ଟେସନରେ ମାନବ ଚାଲାଣ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଜୁରାଟର ସୁରତକୁ ଚାଲାଣ କରାଯାଉଥିବା ବେଳେ ୪ ଜଣ ନାବାଳକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ସନ୍ଦେହରେ ୨ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଶ୍ରମ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ ସମୟରେ ଛତ୍ରପୁର ରେଳ ଷ୍ଟେସନରୁ ଏହି ୪ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସେମାନଙ୍କୁ କାମ କରାଇବା ଉଦ୍ଦେଶ୍ୟରେ ଗୁଜୁରାଟର ସୁରତକୁ ନିଆଯାଉଥିବା ସନ୍ଦେହ କରାଯାଉଛି। ଉଦ୍ଧାର ହୋଇଥିବା ନାବାଳକମାନଙ୍କ ମଧ୍ୟରୁ ଜଣେ ଛତ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ପରାମର୍ଶ ଓ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ଚାଲାଣ ଚକ୍ରରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.