୪ ନେତା ଦେବେ ମିଡିଆ ବାଇଟ

66

ଭୁବନେଶ୍ୱର: ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ଏଆଇସିିସି ପକ୍ଷରୁ କେବଳ ୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି ରାମ କାଡାମ, ଶ୍ରୀକାନ୍ତ ଜେନା, ସନ୍ତୋଷ ସିଂ ସାଲୁଜା ଓ ବିଶ୍ୱରଞ୍ଜନ ମହାନ୍ତି । ଏହି ନେତାଙ୍କୁ ମିଡିଆ ବାଇଟ ଦେବାକୁ ଏଆଇସିସି ପକ୍ଷରୁ ଅନୁମତି ଦିଆଯାଇଛି ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ  ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଛି ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି। ଦୀର୍ଘଦିନ ଧରି କଂଗ୍ରେସରୁ ନିଲମ୍ବିତ ଥିବା ତଥା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଫେରିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା କମିଟିର ସଦସ୍ୟ ଅଛନ୍ତି। ଇଓଉଉ ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି। ସେ ଏହି କମିଟିର ଆବାହକ ଦାୟିତ୍ୱ ତୁଲାଇବେ। ଏହି ଷ୍ଟିୟରିଂ କମିଟି ରାଜ୍ୟରେ କଂଗ୍ରେସର ସମସ୍ତ ସାଂଗଠନିକ କାର୍ୟ୍ୟକ୍ରମର ତଦାରଖ ଓ ସମନ୍ୱୟ ରକ୍ଷା ଦିଗରେ କାର୍ୟ୍ୟ କରିବା ସହ ନୂଆ ପିସିସି କମିଟି ଗଠନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଜଣାପଡ଼ିଛି ।ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ ।

Comments are closed, but trackbacks and pingbacks are open.