ଝିଅ ହେଲେ ସରକାରଙ୍କ ତରଫରୁ ମିଳିବ ୩୫ହଜାର ଟଙ୍କା, କରନ୍ତୁ ଆବେଦନ

204

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଝିଅ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଭଲ ଶିକ୍ଷା ଦେବା ଏବଂ ସେମାନଙ୍କର ଉଜ୍ଵଳ ଭବିଶ୍ୟତ ଗଢିବା । ଗତ କିଛି ବର୍ଷ ଧରି ଦିଲ୍ଲୀ ସରକାର ମଧ୍ୟ ଏପରି ଏକ ଯୋଜନା ଚଳାଉଛନ୍ତି । ଯାହାର ନାମ ରହିଛି ଦିଲ୍ଲୀ ଲାଡଲି ଯୋଜନା । ଏହି ଯୋଜନା ଅଧୀନରେ ସରକାର ଝିଅଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ଜମା କରୁଛନ୍ତି । ଯାହାର ପରିବାରରେ ଗୋଟିଏ ଝିଅ ଜନ୍ମ ହୋଇଛି, ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ସେମାନେ ଯୋଜନା ପାଇଁ ଆବେଦନ କରିପାରିବେ । ଏଥିପାଇଁ ଅତି କମରେ ତିନି ବର୍ଷ ପାଇଁ ଦିଲ୍ଲୀରେ ରହିବା ଆବଶ୍ୟକ । ଅର୍ଥାତ୍ ଯଦି ଆପଣ ତିନି ବର୍ଷ ଧରି ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର ଯଦି ଝିଅ ହୋଇଛି ତେବେ ଆପଣ ଏହି ସରକାରୀ ଯୋଜନା ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଝିଅର ଜନ୍ମର ଗୋଟିଏ ବର୍ଷ ମଧ୍ୟରେ ନିକଟସ୍ଥ ଜିଲ୍ଲା କାର୍ଯ୍ୟାଳୟ କିମ୍ବା ମହିଳା ଏବଂ ଶିଶୁ ବିକାଶ ବିଭାଗରେ ପଞ୍ଜିକରଣ କରିବାକୁ ପଡିବ ।

ଯଦି ନିଜ ଘରେ ଝିଅର ଜନ୍ମ ହୁଏ ତେବେ ତେବେ ପଞ୍ଜୀକରଣ ହେବା ମାତ୍ରେ ହିଁ ଦିଲ୍ଲୀ ସରକାର ୧୦,୦୦୦ ଟଙ୍କା ଉକ୍ତ ଝିଅର ଆକାଉଣ୍ଟରେ ଜମା କରିବେ । ତେବେ ଯଦି ଝିଅ ସରକାରୀ ଡାକ୍ତରଖାନା କିମ୍ବା ପ୍ରସୂତି ଗୃହରେ ଜନ୍ମ ହୁଏ ତେବେ ସରକାର ୧୧,୦୦୦ ଟଙ୍କା ଝିଅର ଖାତାରେ ଜମା କରିବେ । ଏହା ପରେ, ଝିଅ ଷଷ୍ଠ ଶ୍ରେଣୀ, ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀକୁ ଯିବାବେଳେ ସରକାର ତାଙ୍କ ଆକାଉଣ୍ଟରେ ଆଉ ୫୦୦୦ ଟଙ୍କା ଜମା କରିବେ । ଏହା ପରେ ଝିଅ ଦଶମ ପାସ୍ କରିବା ପରେ ଏବଂ ଦ୍ୱାଦଶରେ ନାମ ଲେଖାଇବା ସମୟରେ ଆକାଉଣ୍ଟରେ ଆଉ ୫୦୦୦ ଟଙ୍କା ଜମା ହେବ । ଶେଷରେ ଝିଅକୁ ୧୮ ବର୍ଷ ହେବା ପରେ ଆକାଉଣ୍ଟରେ ଜମା ହୋଇଥିବା ସମସ୍ତ ଟଙ୍କା ସୁଧ ସହିତ ପ୍ରତ୍ୟାହାର କରାଯାଇପାରିବ । ମୋଟାମୋଟି ଭାବେ, ଏହି ଯୋଜନାରେ ସରକାର ଗୋଟେ ଝିଅର ଆକାଉଣ୍ଟରେ ପ୍ରାୟ ୩୫ ହଜାର ଟଙ୍କା ଜମା କରନ୍ତି ।

ଏହି ଯୋଜନା ପାଇଁ ଆବେଦନ କରିବାକୁ, ଏମସିଡି ଦ୍ଵାରା ପ୍ରଦାନ କରାଯାଇଥିବା ଆୟ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ, ଏଥିରେ ଯେକୌଣସି ଗୋଟିଏ ମାତ୍ର ପରିଚୟ ପତ୍ର ବ୍ୟବହାର କରାଯାଇପାରିବ । ଏହି ଯୋଜନାର ଲାଭ ପରିବାରରେ କେବଳ ୨ଜଣ ଝିଅଙ୍କୁ ମିଳିବ । ଏହି ଯୋଜନା ପାଇଁ ଆବେଦନ କରିବାକୁ କୌଣସି ବି ଶୁଳ୍କ ଆଦାୟ କରାଯାଏ ନାହିଁ ।

Comments are closed, but trackbacks and pingbacks are open.