ପୋଖରୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ

32

ଭୁବନେଶ୍ବର: ରାଜନଗର ବ୍ଲକ ସାତଭାୟା (ଥଇଥାନସ୍ଥଳୀ ବଗପାଟିଆ)ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ବୁଡ଼ିଯାଇ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପଞ୍ଚୁବରାହୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢୁଥିବା ଶ୍ରୀକାନ୍ତ ରାଉତଙ୍କ ପୁଅ ବିଶାଲରାଜ (୧୨), ଶୈଶବ ସାହୁଙ୍କ ପୁଅ ସମ୍ବିତ(୧୨) ଓ ବୀରକିଶୋର ପରିଡ଼ାଙ୍କ ପୁଅ ବ୍ରିଙ୍ଗ ବ୍ରିବେନ(୧୨) ଶୁକ୍ରବାର ମଧ୍ୟାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗତକାଲିଠାରୁ ବିଦ୍ୟାଳୟ ବଡଦିନ ଛୁଟି ଘୋଷଣା ହୋଇଥିଲା । ଶୁକ୍ରବାର ଦିନ ମଧ୍ୟାହ୍ନରେ ତିନିସାଙ୍ଗ ମିଶି ଜଣଙ୍କ ଘରେ ଭୋଜି କରିଥିଲେ । ରୋଷେଇ ସରିବା ପରେ କଦଳୀପତ୍ର ଆଣି ଥୋଇଦେଇ ତିନିସାଙ୍ଗ ବଗପାଟିଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଛୋଟିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀ ଗଭୀର ଥିବାରୁ ଜଣକ ପରେ ଜଣେ ଧରାଧରି ହୋଇ ବୁଡ଼ି ଯାଇଥିଲେ । ଗାଧୋଇବାକୁ ଯାଇ ଆଉ ଉପରକୁ ନଆସିବାରୁ ଅଳ୍ପ ଦୂରରେ ଗାଈ ଚରାଉଥିବା ଝିଅଟିର ସନ୍ଦେହ ବଡ଼ିଥିଲା । ସେ ପୋଖରୀ କୂଳକୁ ଆସି ଦେଖିଲା ବେଳକୁ ସେମାନେ ଅଳ୍ପ ଦେଖାଯାଉଥିଲେ । ଝିଅଟି ପାଟିକରିବାରୁ ଲୋକମାନେ ଧାଇଁ ଯାଇ ପୋଖରୀରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁଲିସ ୩ ଜଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେମାନଙ୍କ ବାପ ମାଆଙ୍କର ଜଣେ ଲେଖାଏ ପୁଅ ଥିଲେ । ଖବରପାଇ ବିଧାୟକ ଧୃବ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକକୁମାର ପ୍ରତିହାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ବ୍ୟବଚ୍ଛେଦ ପାଇଁ ସହାୟତା ପ୍ରଦାନ କରିଥିଲେ । ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ।

Comments are closed, but trackbacks and pingbacks are open.