୩ ସେବାୟତଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

149

ପୁରୀ : ଗତମାସରେ ଶ୍ରୀମନ୍ଦିରର ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଯାହା ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏଣୁ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ୨୧ (କ) ଧାରା ଅନୁଯାୟୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି।

ସେହିଭଳି ଶ୍ରୀମନ୍ଦିର ପରିସରରେ ଡାଲ୍‌ଡା ଘିଅ ବ୍ୟବହାର କରିବାକୁ ପ୍ରରୋଚନା ଦେଇଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ଦୁଇ ମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତିନି ସେବକଙ୍କୁ ସ୍ପଷ୍ଟ ଭାବରେ ଚେତାବନୀ ଦିଆଯାଇଛି ଯେ, ଏହି ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ବାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା କଲେ ନିଲମ୍ବନ ଅବଧିକୁ ବୃଦ୍ଧି କରାଯିବ।ଏଥିସହ ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed, but trackbacks and pingbacks are open.