୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା

20

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ତ ରୌଦ୍ୟତାପରେ ଜନଜୀବନ ଆଉଟୁପାଉଟୁ ହେଉଥିବାବେଳେ ଆଗାମୀ ୩ ଘଣ୍ଟାରେ ଭୁବନେଶ୍ୱର ସମେତ ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଅପରାହ୍ନ ୪.୨୦ ସମୟରେ ବିଜୁଳି, ଘଡ଼ଘଡ଼ି ମାରିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ବସ୍ତି ଦେବା ନେଇ ଆଶା କରାଯାଉଛି।

ବିଜୁଳି , ଘଡଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଏବଂ ଢେଙ୍କାନାଳର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘର ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା । ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆହୁରି ଦୁଇରୁ ତିନି ଦିନ ରାଜ୍ୟରେ ଜାରି ରହିବ ହିଟ୍ ଓ୍ଵେଭର ପ୍ରଭାବ। ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବାର ଆଶଙ୍କା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୌଦ୍ଧ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବା ସମ୍ଭାବନା ରହିଥିବା ବେଳେ ୬ ଓ ୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Comments are closed, but trackbacks and pingbacks are open.