ବୋରିଗୁମ୍ମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୩ ମୃତ

152

କୋରାପୁଟ : କୋରାପୁଟ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ସ୍କୋର୍ପିଓ ଧକ୍କାରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କର ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ଉପରେ ବିଜାପୁର ଗାଁରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ ଟାରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ସ୍କୋର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ, ସାମ୍ନାପଟୁ ଆସୁଥିବା ଏକ ବାଇକ ଟ୍ରାକଟରକୁ ଓଭରଟେକ କରି ପ୍ରଥମେ ଯାଇ ସ୍କୋର୍ପିଓ ଦେହରେ ପିଟି ହୋଇଯାଇଥିଲା I ଏହି ସମୟରେ ସ୍କୋର୍ପିଓଟି ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲା। ଫଳରେ ବାଇକ୍ ଆରୋହୀ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ସ୍କୋର୍ପିଓଟି ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା।

ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭି ରେ କଏଦ ହୋଇଥିଲା I ଦୁର୍ଘଟଣାରେ ଅଟୋରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ ଜଣ ମହିଳା ଅଟୋ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ତୃତୀୟ ମୃତକ ହେଉଛନ୍ତି ୨ୟ ବାଇକ ଚାଳକ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ସେହିପରି ଆଜି ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

Comments are closed, but trackbacks and pingbacks are open.