ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

477

ଭୁବନେଶ୍ବର: ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ସ୍ଥିତ ଡିଅନ ଆପାର୍ଟମେଣ୍ଟର ନିର୍ମାଣାଧିନ ପାଇଖାନା ଟାଙ୍କିରୁ ସେଣ୍ଟରିଙ୍ଗ ପଟା ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ ହୋଇଛି। ମୃତ ଶ୍ରମିକ ପଶ୍ଚିମବଙ୍ଗ ଅଞ୍ଚଳର ଦିନେସ ସରକାର, ଆବୁ ଥାଇରୁଲ ଓ ବିବି ସରକାର। ତିନିଜଣଙ୍କ ବୟସ ୨୫ ରୁ ୩୦ ବର୍ଷ ହେବ। ଶୁକ୍ରବାର ସକାଳୁ ନିର୍ମାଣଧିନ ପାଇଖାନା ଟାଙ୍କିରୁ ପଟା ଖୋଲିବା ପାଇଁ ୨ ଜଣ ଶ୍ରମିକ ଭିତରକୁ ଯାଇଥିଲେ। ଭିତରକୁ ଯିବାର ୩ ମିନିଟ ମଧ୍ୟରେ ଦୁଇଜଣ ତଳେ ପଡି ଅଚେତ ହୋଇଯାଇଥିଲେ। ଉପରେ ଥିବା ଶ୍ରମିକମାନେ ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ। ସେଥିମଧ୍ୟରୁ ଜଣେ ଟାଙ୍କିରେ ଅଚେତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଭିତରକୁ ଚାଲିଗଲେ। ସେ ମଧ୍ୟ ଭିତରେ ଅଚେତ ହୋଇ ପଡିଯାଇଥିଲେ। ଏ ସମ୍ପର୍କରେ ଆପର୍ଟମେଣ୍ଟର ସୁପରଭାଇଜର ଜାଣିବା ପରେ ଅଗ୍ନିଶମ ବିଭାଗ ଓ ବାରଙ୍ଗ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଅମ୍ଳଜାନ ଥଳି ବ୍ୟବହାର କରି ୩ ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ପଠାଇଥିଲେ। ମେଡ଼ିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ନିର୍ମାଣଧୀନ ଅଟାଳିକାରେ ଶହ ଶହ ଶ୍ରମିକ କାର୍ଯ୍ୟ କରୁଛନ୍ତି। କିନ୍ତୁ କାର୍ଯ୍ୟ ସମୟରେ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉନାହିଁ। କାମ କରୁଥିବା କୌଣସି ଶ୍ରମିକ ମୁଣ୍ଡରେ ହେଲମେଟ ଟିଏ ନାହିଁ। ଏପରିକି ମୃତ ଶ୍ରମିକଙ୍କ ମୁଣ୍ଡରେ ମଧ୍ୟ୍ୟ ହେଲମେଣ୍ଟ ନଥିଲା। ତେବେ ସୁରକ୍ଷା ସରଞ୍ଜାମ ନଥାଇ ଏତେ ବଡ ଆପାର୍ଟମେଣ୍ଟ କାର୍ଯ୍ୟ କିପରି ଚାଲୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ସେପଟେ ମୃତ ଶ୍ରମିକଙ୍କ ନାମ ପାଇବାକୁ ଉଦ୍ଧାର କରିଥିବା ଅଗ୍ନିଶମ ବିଭାଗ ଓ ପୁଲିସକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଯାଇଥିଲା। ତେଣୁ ଏଠାରେ କାର୍ଯ୍ୟରତ ସହ ସହ ଶ୍ରମିକଙ୍କ ନାମ ପଞ୍ଜୀକରଣ ହୋଇଛିକିନାହିଁ ତାହା ମଧ୍ୟ ସନ୍ଦେହ ଘେରରେ।ଏହାର ଉଚ୍ଚାସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

Comments are closed, but trackbacks and pingbacks are open.