ନୀତୀଶ କୁମାରଙ୍କୁ ବିଦ୍ରୂପ କରି ବେଙ୍ଗାଲୁରୁରେ ପୋଷ୍ଟର୍‌ ଲଗାଇଥିବା ‘ବିଜେପି’ ନେତାଙ୍କ ସମେତ ୩ ଗିରଫ

151

ବିରୋଧୀ ଦଳମାନଙ୍କ ବୈଠକରେ ଯୋଗ ଦେବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁଲାଇ ୧୮ ତାରିଖରେ ବେଙ୍ଗାଲୁରୁ ଗସ୍ତ କରିଥିବା ବେଳେ ତାଙ୍କୁ ବିଦ୍ରୂପ କରି ପୋଷ୍ଟର୍‌ ଲଗାଇଥିବା ଅଭିଯୋଗରେ ପୁଲିସ ୩ଜଣଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି, ଶ୍ରୀରାମ, ମୋହନ ଏବଂ ନନ୍ଦକୁମାର। ଏମାନଙ୍କ ମଧ୍ୟରୁ ମୋହନ ଓ ଶ୍ରୀରାମ ହେଉଛନ୍ତି ‘ବିଜେପି’ ‌କର୍ମୀ। ତିନିହେଁ ନୀତୀଶ କୁମାରଙ୍କ ଉପରେ ଆପତ୍ତିଜନକ କଥା ଲେଖାଥିବା ପୋଷ୍ଟର୍‌ ବେଙ୍ଗାଲୁରୁ ରାସ୍ତାଘାଟରେ ଲଗାଇଥିଲେ।

ବାଟଘାଟରେ ପୋଷ୍ଟର୍‌ ଦେଖିବା ପରେ ଅପରାଧୀଙ୍କୁ ଗିରଫ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଷ୍ଟର୍‌ରେ ନୀତୀଶ କୁମାରଙ୍କୁ ଉଦ୍ଦେଶ୍ୟ କରି ଲେଖାଯାଇଥିଲା ‘ଅଥୟ ପ୍ରଧାନମନ୍ତ୍ରୀ ପ୍ରତିଦ୍ବନ୍ଦ୍ବୀ’। ଆଉ କେତେକ ପୋଷ୍ଟର୍‌ରେ ଉଲ୍ଲେଖ ଥିଲା: ବିହାର ସରକାରଙ୍କ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସ୍ବାଗତମ୍‌। ଭାଙ୍ଗିପଡୁଥିବା ସୁଲ୍‌ତାନ୍‌ଗଞ୍ଜ ସେତୁ ହେଉଛି ବିହାର ପ୍ରତି ନୀତୀଶ କୁମାରଙ୍କ ଉପହାର। ତାଙ୍କ ଶାସନରେ ବିହାରରେ ସେତୁ ସବୁ ତିଷ୍ଠି ପାରୁ ନ ଥିବା ବେଳେ ତାଙ୍କୁ ‘ବି‌ରୋଧୀ ପାର୍ଟି’ଙ୍କ ପ୍ରଚାର ଅଭିଯାନର ନେତୃତ୍ବ ନେବାକୁ ଦାୟିତ୍ବ ଦିଆଯାଉଛି।

ପୋଷ୍ଟର୍‌ ପ୍ରକାଶ କରିବା ଲାଗି ଶ୍ରୀରାମ ଅର୍ଥ ଦେଇଥି‌ବା ବେଳେ ନନ୍ଦକୁମାରଙ୍କ ମୁଦ୍ରଣାଳୟରେ ତାହା ଛାପା ଯାଇଥିଲା। ତା’ପରେ ଉକ୍ତ ପୋଷ୍ଟର୍‌ଗୁଡ଼ିକୁ ମୋହନଙ୍କ ମାଲିକାନାରେ ଥିବା ମିନି-ଅଟୋରେ ନିଆଯାଇ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ୩ ଅଭିଯୁକ୍ତ ହେଉଛନ୍ତି ଶେଷାଦ୍ରୀପୁରମ୍‌ ବାସିନ୍ଦା।

Comments are closed, but trackbacks and pingbacks are open.