କିଟରେ ଦ୍ୱିତୀୟ ୱାର୍ଲ୍ଡ ଲିଡରସିପ୍ କନଭେନସନ୍‌

34

ଭୁବନେଶ୍ୱର,୨୫ା୨: କିଟ୍‍ ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ଲିଡରସିପ୍‍ ଏକାଡେମୀର ମିଳିତ ଆନୁକୁଲ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ନେତୃତ୍ୱ ସମାବେଶ ଶନିବାର ଅନୁଷ୍ଠିତ ହୋଇଯାଇଛି । ‘ବିଶ୍ୱ ହେଉଛି ଏକ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ନେତୃତ୍ୱ ସମାବେଶର ଉଦ୍‍ଘାଟନୀ ଉତ୍ସବରେ ମଧ୍ୟପ୍ରଦେଶସ୍ଥିତ ଉଦ୍ୟମିତା ବିଦ୍ୟାପୀଠ ଜେପି ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ତଥା ବିଶିଷ୍ଟ ସାମାଜିକ ଉଦ୍ୟେଗୀ ଡ.ନନ୍ଦିତା ପାଠକ, ସିଏସଆଇଆର- କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମଲକାର, କଟକ ଜିଲ୍ଲା ମାଣିଆବନ୍ଧର ମହିଳା ଉଦ୍ୟେଗୀ ମନୋରମା ପାଲ୍‍, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ତଥା ୱାର୍ଲଡ ଲିଡରସିପ୍‍ ଆକାଡେମୀର ସଭାପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଂଲଣ୍ଡର ଲିସେଷ୍ଟର ବିଶ୍ୱବିଦ୍ୟାଳୟ ଚେୟାର ପ୍ରଫେସର ୟୁଡଙ୍ଗ୍‍ ଜାହାଙ୍ଗ୍‍ ଭର୍ଚୁଆଲରେ ଯୋଗ ଦେଇଥିଲେ ।
ବର୍ତ୍ତମାନ ସମୟରେ ସମାନତା ଏବଂ ନ୍ୟାୟ, ବିବିଧତା ମଧ୍ୟରେ ଅନ୍ତର୍ଭୁକ୍ତିକରଣ, ସହନଶୀଳତାର ସଂସ୍କୃତି ଏବଂ ସୃଷ୍ଟି ଓ ବିନାଶ ଆଦି ପ୍ରସଙ୍ଗର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ସାମନ୍ତ କହିଥିଲେ, ଆମର ଏକତାରେ ଆମର ଶକ୍ତି ନିହିତ ଅଛି ବୋଲି ସମସ୍ତେ ଅନୁଭବ କରିବା ଉଚିତ । ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ହେଉଛି ବସୁଧୈବ କୁଟୁମ୍ବକମ୍‍- ଅର୍ଥାତ ସମଗ୍ର ବିଶ୍ୱ ଗୋଟିଏ ପରିବାର ଏବଂ ଆମେ ସମସ୍ତେ ସେହି ପରିବାରର ଜଣେ ଜଣେ ସଦସ୍ୟ ଓ ସଦସ୍ୟା । ଏହାର ପ୍ରତିଫଳନ କିଟ୍‍ ଓ କିସ୍‍ରେ ଦେଖିବାକୁ ମିଳିଥାଏ । ବିଶ୍ୱ ଏକ ବୋଲି କିଟ୍‍ ଓ କିସ୍‍ରେ ଆମେ ସବୁବେଳେ ଅନୁଭବ କରିଥାଉ । ଏଠାରେ ଧନୀ, ଗରିବ, ଉଚ୍ଚ, ନିଚ୍ଚର ଊର୍ଦ୍ଧ୍ୱରେ ବିଭିନ୍ନ ଦେଶ ଓ ରାଜ୍ୟ, ବିଭିନ୍ନ ଭାଷାଭାଷୀ ଓ ସଂସ୍କୃତିର ପିଲାମାନେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏକାଠି ରହିଥାନ୍ତି ଓ ଏକାଠି ବଢ଼ିଥାନ୍ତି । ଏହା ହିଁ ବିଶ୍ୱ ଐକ୍ୟଭାବର ପ୍ରତିଫଳନ ବୋଲି ଶ୍ରୀ ସାମନ୍ତ କହିଥିଲେ । ବିବିଧତା ମଧ୍ୟରେ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବାବେଳେ ଆମକୁ ଫଳାଫଳକୁ ଅପେକ୍ଷା ନକରି ଆମର ଶକ୍ତି ଓ କାର୍ଯ୍ୟ ଦକ୍ଷତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ପ୍ରଫେସର ସସ୍ମିତା ସାମନ୍ତ କହିଥିଲେ, ସାମାଜିକ ମୂଲ୍ୟବୋଧ ସୃଷ୍ଟି ନିମନ୍ତେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ନିମନ୍ତେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏଭଳି ନେତୃତ୍ୱ ସମାବେଶ ଏକ ମଞ୍ଚ ଯୋଗାଇ ଦେଇଥାଏ । ଏହା ମଧ୍ୟ ଶିକ୍ଷା ଓ ତାଲିମ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସୁଯୋଗ ସହ ଯୋଡ଼ିବା ପାଇଁ ଏକ ପ୍ରକୃଷ୍ଟ ପ୍ଲାଟ୍‍ଫର୍ମ ସୃଷ୍ଟି କରିଥାଏ । ଆଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କର୍ମାଲକାର୍‍ ଜଣେ କିପରି ଭଲ ଶିକ୍ଷକ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଜଣେ ଭଲ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷିତ କରିପାରନ୍ତି ଏବଂ ପିଲାମାନଙ୍କୁ ଏକ ଭିନ୍ନ ଶୈଳୀରେ ବିଭିନ୍ନ କଥା ଶିଖିବା ପାଇଁ ଉତ୍ସାହିତ କରିଥାନ୍ତି । ବିଶିଷ୍ଟ ସାମାଜିକ ଉଦ୍ୟେଗୀ ଶ୍ରୀମତୀ ପାଠକ କିଟ୍‍ ଓ କିସ୍‍କୁ ଜ୍ଞାନର ସମୁଦ୍ର ବୋଲି ଅଭିହିତ କରିଥିଲେ । ଏଠାରେ ସମାଜର କଲ୍ୟାଣ ତଥା ଗରିବ ଓ ଅବହେଳିତଙ୍କ ଉତ୍ଥାନ ନିମନ୍ତେ ଜ୍ଞାନ ବିତରଣ କରାଯାଉଛି ବୋଲି ସେ କହିଥିଲେ । ଏହି ଅବସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁଦର୍ଶନ ନନ୍ଦ, ପ୍ରଫେସର ପରିଡ଼ା, ମନୋରମା ପାଲ୍‍ ପ୍ରଫେସର ଜାହାଙ୍ଗ୍‍ ପ୍ରମୁଖ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କନ୍‍ଭେନ୍‍ସନ୍‍ରେ ଦେଶ ବିଦେଶର ବହୁ ବିଶିଷ୍ଟ ଶିକ୍ଷାବିତ୍‍, ପ୍ରଫେସନାଲ୍‍ ଓ ଟେକ୍ନୋକ୍ରାଟ୍‍ମାନେ ଯୋଗ ଦେଇଥିଲେ । ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଜୟନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.