+୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

50

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁଁ ନାମଲେଖାଇ ପାରି ନ ଥିବା କିମ୍ବା ଆଦୌ ଆବେଦନ କରି ନ ଥିବା ପିଲାମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ସୁଯୋଗ ଦିଆଯାଇଛି । ସେପ୍ଟେମ୍ବର ୪ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବା ବେଳେ, ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ୍‌‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ନେଇ ସବିଶେଷ ମାର୍ଗଦର୍ଶିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖା ହୋଇଯାଇଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ଆବେଦନ ପାଇଁ ସୁଯୋଗ ଦିଆଯିବା ନାହିଁ । ତେବେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଯଦି ସିଟ୍‌‌ ମିଳି ନଥିବ କିମ୍ବା କୌଣସି କାରଣ ପାଇଁ ନାମ ଲେଖାଇ ହୋଇପାରି ନ ଥିବେ, ତେବେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ବେଳେ  ଆବେଦନ ଶୁଳ୍କ ଦେବାକୁ ପଡ଼ିବନାହିଁ। କେବଳ ନୂଆ ଆବେଦନ କରୁଥିବା ଛାତ୍ରଛାତ୍ରୀ ଶୁଳ୍କ ଦାଖଲ କରିବେ ।

ଅପରପକ୍ଷେ ସେପ୍ଟେମ୍ବର ୨୨ରେ ସିଟ୍‌‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ଏହାପରେ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରିବାକୁ ହେବା ବେଳେ ୨୩ ରୁ ୨୬ ତାରିଖ ମଧ୍ୟରେ ପିଲାମାନେ କଲେଜସ୍ତରରେ ରିପୋର୍ଟିଂ କରିବେ । ସାମ୍ସ ପୋର୍ଟାଲରେ ପିଲାଙ୍କ ନାମଲେଖା ତଥ୍ୟ ୨୬ ତାରିଖ ସନ୍ଧ୍ୟାରେ ଅପଡେଟ୍‌‌ ହେବାକୁ ଥିବାବେଳେ ଅକ୍ଟୋବର ୩ ତାରିଖରେ ୱେଟିଂ ତାଲିକା ପ୍ରକାଶ ପାଇବ। ୬ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୭ ତାରିଖରେ ସମସ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ୍‌‌ କରାଯିବ ।

Comments are closed, but trackbacks and pingbacks are open.