ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ୨୯୩୫ ହବିଷ୍ୟାଳୀ

40

ପୁରୀ: ଆସନ୍ତାକାଲିଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ମହାଧାର୍ମିକ କାର୍ତ୍ତିକମାସ ଚାଲିବ । ବ୍ରତ ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିଛନ୍ତି ହବିଷ୍ୟାଳୀ ମାନେ । ଆସନ୍ତା କାଲି ସକାଳେ ସଂକଳ୍ପ ପରେ ସେମାନେ ରାଇଦାମୋଦର ପୂଜା ଓ ବ୍ରତ ପାଳନ କରିବେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ହବିଷ୍ୟାଳୀ ମାନେ ନିଜ ନିଜ କେନ୍ଦ୍ରରେ ରହିଛନ୍ତି ।ପ୍ରତ୍ୟେକ ରୁମରେ ୭ ଜଣ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ପ୍ରଶାସନ ପକ୍ଷରୁ ହୋଇଥିବା ୫ଟି କେନ୍ଦ୍ରରେ ପହଞ୍ଚିଛନ୍ତି ୨୯୩୫ ହବିଷ୍ୟାଳୀ । ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ନୂତନ ଭାବେ ନିର୍ମିତ ହୋଇଥିବା ବୃନ୍ଦାବତୀ ନିବାସ ମୁଖ୍ୟ ଆକର୍ଷଣ ପାଲଟିଛି । ଏଠାରେ ପୁରୀ, ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ଜଣ, ମୋଚି ସାହି କଲ୍ୟାଣ ମଣ୍ଡପରେ ରାଜ୍ୟର ୬୦୧ ଜଣ ହବିଷ୍ୟାଳୀ ରହିଛନ୍ତି । ହବିଷ୍ୟାଳୀଙ୍କ ସେବା ପାଇଁ ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ରରେ ସ୍ୱେଚ୍ଛାସେବୀ, ଆଶା ଓ ଅଙ୍ଗନୱାଡି କର୍ମୀ, ପୋଲିସ ଓ ପ୍ରଶାସନ ନିୟୋଜିତ ହୋଇଛନ୍ତି । ହବିଷ୍ୟାଳୀ ମାନଙ୍କର ରହିବା, ମହାପ୍ରସାଦ ସେବନ କରିବା, ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟର ୨୯ ଜିଲ୍ଲାରୁ ୨୯୩୫ ଜଣ ହବିଷ୍ୟାଳୀ ପର୍ଯ୍ୟାୟ କ୍ରମେ ନିଜ ନିଜ କେନ୍ଦ୍ରରେ ଆଜି ସକାଳୁ ପହଞ୍ଚିଛନ୍ତି । ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତନ, ପ୍ରବଚନ, ପାଲା, ଭଜନ, ଚିକିତ୍ସା, ପରିମଳ, ପାନୀୟ ଜଳ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା ମାନ କରାଯାଇଛି । ହବିଷ୍ୟାଳୀ ମାନଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱ ରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନ ବାନ ହେବାକୁ ପରାମର୍ଶ ଦିଆଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ୱଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯାଇଛି । ପ୍ରତି ରହଣୀ ସ୍ଥାନରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ହବିଷ୍ୟାଳୀଙ୍କ ଭଲ ସେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Comments are closed, but trackbacks and pingbacks are open.