ରେଳ ଷ୍ଟେସନରୁ ୨୯ ନାବାଳକ ଛାତ୍ରଛାତ୍ରୀ ଉଦ୍ଧାର: ଜଣେ ଅଟକ

18

ଭୁବନେଶ୍ବର: ସୋର ରେଳ ଷ୍ଟେସନରୁ ବିଳମ୍ବିତ ରାତିରେ ୨୯ ଜଣ ନାବାଳକ ଛାତ୍ରଛାତ୍ରୀଙ୍କୁ ରେଳବାଇ ପୋଲିସ (GRP) ଉଦ୍ଧାର କରିଛି । ଏହି ଛାତ୍ରଛାତ୍ରୀଙ୍କୁ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁଆଡ଼େ ନିଆଯାଉଥିଲା, ସେନେଇ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ଜଣେ ଯୁବକ ଏହି ୨୯ ଜଣ ଛାତ୍ରଛାତ୍ରୀଙ୍କୁ ଏକ ବସ୍ ଯୋଗେ ଆଣି ଅନୁଗୋଳ ନେବା ପାଇଁ ସୋର ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ତେବେ ବିଳମ୍ବିତ ରାତିରେ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ରେଳବାଇ ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ସେମାନଙ୍କର ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିଲେ ମଧ୍ୟ ସେମାନଙ୍କ ପାଖରୁ କୌଣସି ବୈଧ ଦସ୍ତାବିଜ ମିଳିନଥିଲା । ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ଜଣାପଡ଼ିଛି । ଏମାନଙ୍କୁ ଚାଲାଣ କରାଯାଉଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ରେଳବାଇ ପୋଲିସ ଘଟଣାର ଅଧିକ ସୂଚନା ପାଇଁ ଛାନଭିନ୍ ଜାରି ରଖିଛି ।

Comments are closed, but trackbacks and pingbacks are open.