29

ୱାଶିଂଟନ୍ : ନୀଳତିମି ହେଉଛି ବିଶ୍ୱର ସବୁଠାରୁ ବୃହଦାକାୟ ପ୍ରାଣୀ । ସମୁଦ୍ରରେ ବିଚରଣ କରୁଥିବା ବିଭିନ୍ନ ପ୍ରକାର ତିମି ମଧ୍ୟରୁ ନୀଳତିମି ଶାରିରୀକ ଦୃଷ୍ଟିକୋଣରୁ ସବୁଠାରୁ ବୃହତ । ସେହି ତୁଳନାରେ ଏହାର ଖାଦ୍ୟ ପରିମାଣ ମଧ୍ୟ ଯଥେଷ୍ଟ ଅଧିକ । ଗୋଟିଏ ନୀଳତିମି ଦୈନିକ ୧୦ ନିୟୁତ ପ୍ଲାଷ୍ଟିକ୍ ଖଣ୍ଡ ଗିଳିଥାଏ ବୋଲି ବୈଜ୍ଞାନିକଙ୍କ ଦ୍ୱାରା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଆମେରିକାର କେତେକ ବୈଜ୍ଞାନିକ ନିକଟରେ ପ୍ରଶାନ୍ତ ମହାସାଗରରେ ବିଚରଣ କରୁଥିବା ତିନି ପ୍ରକାର ତିମି ଯଥା ବ୍ଲୁ, ଫିନ୍ ଓ ହମ୍ପ୍‌ବ୍ୟାକ୍‌ର ଖାଦ୍ୟ ଶୈଳୀକୁ ବିଶ୍ଲେଷଣ କରିଛନ୍ତି । ସାଧାରଣତଃ ଏହି ପ୍ରଜାତିର ତିମି କ୍ରିଲ୍ (ଏକପ୍ରକାର ଚିଙ୍ଗୁଡି) ଓ ଅନ୍ୟ ପ୍ରକାର ମାଛ ଖାଇଥାନ୍ତି । ତେବେ ନୀଳତିମି ଦୈନିକ ୪୪ କିଲୋ ପ୍ଲାଷ୍ଟିକ୍ ଖାଉଥିବାବେଳେ ଫିନ୍ ପ୍ରଜାତିର ତିମି ଦୈନିକ ୩୮ କିଲୋ ଏବଂ ହମ୍ପବ୍ୟାକ୍ ତିମି ଦୈନିକ ୧୯ କିଲୋ ପ୍ଲାଷ୍ଟିକ୍ ଖାଉଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ପ୍ରଜାତିର ତିମି ଯାହା ବାନ୍ତି କରୁଛନ୍ତି, ସେଥିରୁ ଲକ୍ଷାଧିକ ପ୍ଲାଷ୍ଟିକ୍ ଖଣ୍ଡର ସନ୍ଧାନ ମିଳିଥିବା ଜଣାପଡିଛି । ଏହାଦ୍ୱାରା ସମୁଦ୍ର ପାଣି ଦୂଷିତ ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ମେରାଇନ ବାୟୋଲୋଜିଷ୍ଟ ପ୍ରଫେସର ମାଥ୍ୟୁ ସାଭୋକା କହିଛନ୍ତି ଯେ ତିମି ବାନ୍ତିର ୯୯ ପ୍ରତିଶତ ହେଉଛି କେବଳ ପ୍ଳାଷ୍ଟିକ୍ । ବାଲିନ୍ ଶ୍ରେଣୀଭୁକ୍ତ ଏହି ତିମିମାନଙ୍କର ଏଭଳି ପରିବର୍ତ୍ତିତ ଖାଦ୍ୟ ଶୈଳୀ ଅତ୍ୟନ୍ତ ବିପଜ୍ଜନକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗୋଟିଏ ନୀଳତିମିର ଲମ୍ବ ହାରାହାରି ୧୦୦ ଫୁଟ ହୋଇଥିବାବେଳେ ଫିନ୍ ଓ ହମ୍ପବ୍ୟାକ୍ ତିମି କ୍ଷେତ୍ରରେ ଏହା ଯଥାକ୍ରମେ ୮୦ ଓ ୫୦ ଫୁଟ । ଏହି ସର୍ଭେରେ ୧୨୬ ନୀଳତିମି, ୬୫ ହମ୍ପବ୍ୟାକ୍ ଏବଂ ୨୯ ଫିନ୍ ତିମିକୁ ସାମିଲ କରାଯାଇଥିଲା । ଏହି ତିମିମାନଙ୍କ ପିଠିରେ କ୍ୟାମେରା, ମାଇକ୍ରୋଫୋନ୍‌, ଜିପିଏସ୍ ଲୋକେଟର ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଟ୍ୟାଗ୍ ଖଞ୍ଜାଯାଇ ସେମାନଙ୍କର ଗତିବିଧି ଏବଂ ଖାଦ୍ୟ ପ୍ରଣାଳୀକୁ ଯାଞ୍ଚ କରାଯାଇଥିବା ଜଣାପଡିଛି । ନୀଳତିମି ଦୈନିକ ଦୈନିକ ୧୦-୨୦ ଟନ୍ କ୍ରିଲ୍ ଖାଉଥିବାବେଳେ ଫିନ୍ ପ୍ରଜାତିର ତିମି ଦୈନିକ ୬-୧୨ ଏବଂ ହମ୍ପବ୍ୟାକ୍ ତିମି ୫-୧୦ ଟନ୍ କ୍ରିଲ୍ ଖାଇଥାନ୍ତି । ଏହି ତିମିଗୁଡିକ ସାଧାରଣତଃ ସମୁଦ୍ର ଜଳାରାଶିର ୨୦୦-୮୫୦ ଫୁଟ ତଳେ ଖାଦ୍ୟ ଅନ୍ୱେଷଣ କରିଥାନ୍ତି ।

Comments are closed, but trackbacks and pingbacks are open.