ରାଜସ୍ଥାନରେ ହିନ୍ଦୁ ଧର୍ମ ଛାଡ଼ିଲେ ୨୫୦ ଦଳିତ

30

ବାରାନ୍‌: ରାଜସ୍ଥାନର ବାରାନ୍ ଜିଲ୍ଲାରେ ସବର୍ଣ୍ଣଙ୍କ ମାଡ଼ରେ ବ୍ୟଥିତ ୨୫୦ ଜଣ ଦଳିତ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ଏହି ଲୋକମାନେ ନିଜ ଘରେ ଥିବା ଦେବୀ-ଦେବତାଙ୍କ ମୂର୍ତ୍ତି ଏବଂ ଫଟୋଚିତ୍ରକୁ ନଦୀରେ ବିସର୍ଜିତ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ଏହି ପରିବାର ଅଭିଯୋଗ କରିଛନ୍ତି ଯେ ୧୫ ଦିନ ତଳେ ମା’ ଦୁର୍ଗାଙ୍କ ଆରତି କରିବାରୁ ସବର୍ଣ୍ଣମାନେ ଦଳିତ ସମୁଦାୟର ଦୁଇଜଣ ଯୁବକଙ୍କ ପିଟିଥିଲେ । ଦଳିତ ସମାଜ ପକ୍ଷରୁ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାକୁ ବିରୋଧ କରି ଦଳିତ ସମାଜର ଏହି ଲୋକମାନେ ସାମୂହିକ ଧର୍ମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ । ଶୁକ୍ରବାର ଗ୍ରାମରେ ଆକ୍ରୋଶ ରାଲି ବାହାର କରାଯିବା ପରେ ଦେବୀ-ଦେବତାଙ୍କ ମୂର୍ତ୍ତି ଏବଂ ଫଟୋ ନଦୀରେ ବିସର୍ଜନ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ନକରାଗଲେ ଏସ୍‌ଡିଏମ୍‌ଙ୍କ ଅଫିସ୍ ଆଗରେ ଆନ୍ଦୋଳନ କରାଯିବ ବୋଲି ସମାଜ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ଘଟଣା ଛବଡ଼ା ଅଞ୍ଚଳର ଭୁଲୋନ ଗ୍ରାମରେ ଘଟିଛି ।

Comments are closed, but trackbacks and pingbacks are open.