୨୫ରୁ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ ୯ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ

1,102

ଭୁବନେଶ୍ୱର,୨୩।୧୧: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ପକ୍ଷରୁ ଆସନ୍ତା ନଭେମ୍ବର ୨୫ ଏବଂ ୨୬ ଦୁଇଦିନ ଧରି ୯ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ସ୍କୁଲ ପିଲାଙ୍କ ପାଇଁ ଏଭଳି ଜାତୀୟସ୍ତରୀୟ ଶିଶୁ ସାହିତ୍ୟ ମହୋତ୍ସବ ଆୟୋଜନ କରିବାରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ହେଉଛି ଭାରତର ପ୍ରଥମ ଓ ଏକମାତ୍ର ସ୍କୁଲ୍‍। ଏହି ମହୋତ୍ସବରେ ସମଗ୍ର ଦେଶର ୭୫ଟି ସ୍କୁଲ୍‍ରୁ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ। ଏହି ଦୁଇ ଦିନିଆ ମହୋତ୍ସବରେ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେର୍‍ପା ଅମିତାଭ କାନ୍ତ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତକାର୍‍ ତଥା ତିନିଥର ଗ୍ରାମୀ ପୁରସ୍କାର ବିଜେତା ଡ. ରିକି କେଜ୍‍ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପଦ୍ମଭୂଷଣ ରସ୍କିନ୍‍ ବଣ୍ଡ ଭର୍ଚୁଆଲରେ ଯୋଗ ଦେବେ।

ଶିଶୁମାନଙ୍କ ରଚନାତ୍ମକ କଳାର ବିକାଶ ନିମନ୍ତେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏହା ଏକ ଅଭିନବ ପରିକଳ୍ପନା। ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ୨୦୧୩ ମସିହାରେ ଅତି ସୁନ୍ଦର ଭାବେ ଆୟୋଜନ କରି ଆସୁଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଭାରତର ଅନ୍ୟତମ ଶ୍ରେଷ୍ଠ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଭାବେ ବେଶ ଖ୍ୟାତି ଅର୍ଜନ କରିଛି। ଏହି ସ୍କୁଲରେ ସିବିଏସ୍‍ଇ, ଆଇବିଡିପି ଓ ଆଜିସିଏସ୍‍ଇ ଅନ୍ତର୍ଜାତୀୟ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ୨୦୧୩ରୁ ଆରମ୍ଭ ହୋଇଥିବା ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ସ୍କୁଲ୍‍ ପିଲାଙ୍କ ମଧ୍ୟରେ ଖୁବ୍‍ ଆଦୃତ ହୋଇଛି। ଗତ ୯ବର୍ଷ ମଧ୍ୟରେ ଏହି ମହୋତ୍ସବରେ ଦେଶର ବହୁ ବିଶିଷ୍ଟ ଲେଖକ, ଶିଶୁ ସାହିତ୍ୟିକ, କବି ଓ କଳାକାଳ ଆଦି ଯୋଗଦେଇ କୁନି ଲେଖକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି।

ଦୁଇଦିନ ବ୍ୟାପୀ ଏହି ମହୋତ୍ସବରେ ବାକ୍‍ ସ୍ୱାଧୀନତା, ରାଜନୀତି, ହିଂସା, ପରିବେଶ, ଅଧ୍ୟାତ୍ମ ଆଦି ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଧିବେଶନରେ ଖ୍ୟାତି ସମ୍ପନ୍ନ ଲେଖକ ଆନନ୍ଦ ନୀଳକଣ୍ଠନ, ସୁଦୀପ ନାଗରକର, ଷ୍ଟୋରୀ ଟେଲର୍‍ ଗୀତା ରାମାନୁଜମ ଓ ପ୍ରାକ୍ତନ କ୍ରିକେଟର ମହମ୍ମଦ କୈଫ ପ୍ରମୁଖ ଯୋଗଦେବେ। ଏହି ଅବସରରେ ବିଶିଷ୍ଟ, ଅଭିନେତା ତଥା କଣ୍ଠଶିଳ୍ପୀ ପ୍ରିନ୍‍ସ ନରୁଲା ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିବେ। ଏହ ସହ ଫ୍ଲାସ୍‍ମବ୍‍, ନୃତ୍ୟ କର୍ମଶାଳା, ଷ୍ଟୋରୀ ଟେଲିଂ ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା ମହମବତୀ ତିଆରି କର୍ମଶାଳ ଆଦି ଅନୁଷ୍ଠିତ ହେବ। ଉଦ୍‍ଯାପନୀ ଉତ୍ସବରେ ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ଅଙ୍କିତ ତିୱାରୀଙ୍କ ସଂଗୀତ ପରିବେଷଣ କରିବେ। ଇତି ମଧ୍ୟରେ ସ୍କୁଲରେ ୩ରୁ ୧୦ବର୍ଷ ବୟସର ଶିଶୁଙ୍କ ପାଇଁ ଲିଟ୍‍-ଓ-ଫେଷ୍ଟ ଆୟୋଜନ କରାଯାଇଛି। ଏଥିରେ ପିଲାମାନେ ପପେଟ୍‍ ମେକିଂ, କ୍ଲେ ମଡେଲିଂ, ଫେସ୍‍ ପେଣ୍ଟିଂ, ହ୍ୟୁମାନ ଲାଇବ୍ରେରୀ, ଷ୍ଟୋରୀ ଟେଲିଂ ଓ ୱାର୍ଡ ସର୍ଚ୍ଚ ଆଦିର ମଜା ନେଉଛନ୍ତି।

Comments are closed, but trackbacks and pingbacks are open.