‘୨୦୨୪ ନିର୍ବାଚନ ନିଶ୍ଚୟ ଲଢ଼ିବି’: ବ୍ରିଜ୍‌ ଭୂଷଣ

611

ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (WFI) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ୍‌ ଭୂଷଣ ଶରଣ ସିଂହ ରୋକଠୋକ୍‌ କହିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ । ଆସନ୍ତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢିବା ନେଇ ସେ ରବିବାର ସ୍ପଷ୍ଟ ଭାବେ କହିଦେଇଛନ୍ତି । କୁସ୍ତି ଯୋଦ୍ଧାଙ୍କ ପକ୍ଷରୁ ଯୌନ ଶୋଷଣ ନେଇ ଅଭିଯୋଗ ଆସିବା ପରେ ବିବାଦୀୟ ହୋଇପଡିଥିବା ବ୍ରିଜ୍‌ ଭୂଷଣଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରବିବାର ବ୍ରିଜ୍‌ ଭୂଷଣ ଶରଣ ସିଂହ କହିଛନ୍ତି, ‘କୈଶରଗଞ୍ଜ ଲୋକସଭା ଆସନରୁ ନିଶ୍ଚିତ ନିର୍ବାଚନ ଲଢିବି, ଲଢିବି, ଲଢିବି’। କୈଶରଗଞ୍ଚ ଲୋକସଭା ଆସନରୁ ସେ ୩ ଥର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ପ୍ରଥମେ ଭାରତୀୟ ଜନତା ପାର୍ଟି ଟିକଟ୍‌ରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ୨୦୦୮ରେ ସେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢି ଜିତିଥିଲେ। ପରେ ପୁଣି ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ କୈଶରଗଞ୍ଜ ଆସନରୁ ଟିକଟ୍‌ ପାଇଁ ବିଜୟୀ ହୋଇଥିଲେ ।

୨୦୦୪ ଲୋକସଭା ନିର୍ବାଚନରେ ବଲରାମପୁର ସିଟ୍‌ରୁ ସାଂସଦ ଭାବେ ଲଢି ବିଜୟୀ ହୋଇଥିଲେ ବ୍ରିଜ୍‌ ଭୂଷଣ ଶରଣ ସିଂହ । କେବଳ ସେତିକି ନୁହେଁ ୧୯୯୧ ଓ ୧୯୯୯ ମସିହାରେ ସେ ଗୋଣ୍ଡା ଆସନରୁ ବିଜେପି ଟିକଟରୁ ଲଢି ଜିତିଥିଲେ । ବର୍ତ୍ତମାନ ସେ ୬ଷ୍ଠ ଥର ସାଂସଦ ଭାବେ ଦାୟିତ୍ବ ତୁଲାଉଛନ୍ତି ।

କୁସ୍ତି ଯୋଦ୍ଧାଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମାମଲା ଚାଲୁଛି । ବିଭିନ୍ନ ଧାରା ଯେପରିକି ସେକ୍ସନ୍‌ ୩୫୪, ସେକ୍ସନ୍‌ ୩୫୪-ଏ ଓ ସେକ୍ସନ୍‌ ୩୫୪-ଡି ଭଳି ଦଫାରେ ମାମଲା ଜାରି ରହିଛି । ଯେଉଁଥିରେ କି ତାଙ୍କୁ ୨ ରୁ ୩ ବର୍ଷ ଜେଲ ଭୋଗିବାକୁ ପଡିପାରେ । ତେବେ ଯୌନ ଶୋଷଣ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି ବ୍ରିଜ୍‌ ଭୂଷଣ ଶରଣ ସିଂହ । ଏହା ସହିତ କୋର୍ଟଙ୍କ ନିକଟରେ ପ୍ରମାଣ ଦେବାକୁ ମଧ୍ୟ ରୋକଠୋକ୍‌ କହୁଛନ୍ତି ବ୍ରିଜ୍‌ ଭୂଷଣ । କେବଳ ସେତିକି ନୁହେଁ କୌଣସି ବି ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଚଢିବାକୁ ରାଜି ଅଛି କହିଥିଲେ ବିଜେପି ସାଂସଦ ବ୍ରିଜ୍‌ ଭୂଷଣ।

Comments are closed, but trackbacks and pingbacks are open.