୨୦ କୋଟିର ଲୁଟ୍ ମାମଲା: ୭ ଦିନିଆ ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ରାଜା ସାହାଣୀ

196

ଭୁବନେଶ୍ୱର: ବେଙ୍ଗାଲୁରୁର ବହୁଚର୍ଚ୍ଚିତ ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ୍ ଘଟଣାରେ କୁଖ୍ୟାତ ଅପରାଧୀ ରାଜା ସାହାଣୀର ଅଡ଼ୁଆ ବଢ଼ିଛି। କଟକ JMFC କୋର୍ଟଙ୍କ ଅନୁମତି ପରେ ଆଜି କର୍ଣ୍ଣାଟକ ପୋଲିସ ତାକୁ ଚୌଦ୍ୱାର ଜେଲରୁ ୭ ଦିନିଆ ରିମାଣ୍ଡରେ ନେଇଛି। ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜାକୁ ଜେରା କରିବ କର୍ଣ୍ଣାଟକ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଏତେ ବଡ଼ ଧରଣର ଲୁଟ୍‌ର ଯୋଜନା କେମିତି ହୋଇଥିଲା ଏବଂ ଏଥିରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ପୋଲିସ ଗୁମର ଖୋଲିବ। ଗତ ଦଶହରା ସମୟରେ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଚୌଦ୍ୱାର ଜେଲ୍‌ର ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ। କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ରାଜା ସାହାଣୀକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା। ଏହା ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ମଧୁକାନ୍ତକୁ ବୃନ୍ଦାବନରୁ କାବୁ କରାଯାଇଥିଲା। ବିହାର ମୂଳ ନିବାସୀ ରାଜା ସାହାଣୀ ନାମରେ ଓଡ଼ିଶା ବାହାରେ ଅନେକ ବଡ଼ ଧରଣର ଅପରାଧିକ ମାମଲା ରହିଛି। ରିମାଣ୍ଡ ସମୟରେ ବେଙ୍ଗାଲୁରୁ ଲୁଟ୍ ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.