ପରୀକ୍ଷା ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ +୨ଛାତ୍ରଛାତ୍ରୀ

0 23

ପରୀକ୍ଷା ଋତୁ ପାଖେଇ ଆସିବାବେଳକୁ ପୁଣି ରାଜରାସ୍ତା କୁ ଓହ୍ଲାଇଲେ ଛାତ୍ରଛାତ୍ରୀ I ଗତ ଦୁଇ ବର୍ଷ ଧରି କରୋନା ସଂକ୍ରମଣ ଯୋଗୁଁ ଅନଲାଇନ ପାଠପଢା ଚାଲୁଥିଲା I ତେଣୁ ବର୍ତ୍ତମାନ ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବି କରି ମାଷ୍ଟର କ୍ୟାଣ୍ଟିନଠାରେ ରାଜରାସ୍ତାରେ ଧାରଣା ଦେବା ସହ ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧୀକ ଛାତ୍ରଛାତ୍ରୀ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। କୋଭିଡ ଆରମ୍ଭ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ୍‌ ବାଧାପ୍ରାପ୍ତ ହୋଇଛି। ଏପରିକି ମାସ ମାସ ଧରି ଅନଲାଇନ୍‌ କ୍ଲାସ୍‌ କରିଛନ୍ତି ଏହି ପିଲା ।
କୋଭିଡ ଥମିବା ପରେ ଗତ ବର୍ଷ ମାସ ୫,୬ ମାସ ପାଇଁ କଲେଜ ଖୋଲିଥିବା ବେଳେ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା। ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି ବୋଲି ପ୍ରଶ୍ନ ବି ପଚାରିଛନ୍ତି।
ଏନେଇ ନିଜ ଯୁକ୍ତି ରଖି ପିଲାମାନେ କହିଛନ୍ତି, କୋଭିଡ କଟକଣାରେ ଯଦି ମଲ୍‌, ବାର୍‌ ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ ।
ଏହାବାଦ ଜଣେ ଛାତ୍ରୀ କହିଛନ୍ତି, ଆମର ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ଆମକୁ ସେହି ଆଧାରରେ ମାର୍କ ଦିଆଯାଉ । ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନେ ପରୀକ୍ଷା ଦେଇପାରନ୍ତି। ଯଦି ଅନଲାଇନ୍‌ କ୍ଲାସ କରିଛ, ତା’ ହେଲେ ପରୀକ୍ଷା କାହିଁକି ଅଫଲାଇନ୍‌।
ଏଥିସହ ପରୀକ୍ଷା ନ ଦେବା ଦାବିରେ ବିଭିନ୍ନ ପ୍ରକାର ନାରା ଦେଇ ଶତାଧୀକ ଛାତ୍ରଛାତ୍ରୀ ନବୀନ ନିବାସ ମୁହାଁ ହୋଇଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ୍‌। ଫଳରେ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ ପୁଲିସ୍‌ ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ହେଲେ ଛାତ୍ରଛାତ୍ରୀ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.