ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

131

ନୂଆଦିଲ୍ଲୀ: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ 4 ହଜାର 9 କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି। ଏହି କାରଖାନାରୁ ଉତ୍ପାଦିତ ଚିପ୍ ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍, ପ୍ରତିରକ୍ଷା, ୱେରଲେସ୍ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ। ଏହାଛଡ଼ା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର 11ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। 200 କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର 1530 କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ 3 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା 398 କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ 572ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ 35ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ। ବର୍ତ୍ତମାନସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ 25 ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.