ରାଉରକେଲା ଷ୍ଟେସନରୁ ୨ ମାଓବାଦୀ ଗିରଫ

168

ରାଉରକେଲା : ରାଉରକେଲା ରେଳ ଷ୍ଟେସନରୁ ଗୁରୁବାର ୨ ମାଓବାଦୀଙ୍କୁ ଗିରଫ କରିଛି ଆରପିଏଫ। ସେମାନେ ହେଲେ ଝାଡ଼ଖଣ୍ଡର ପାଲାମୁ ଜିଳା ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ଅବଧେଶ କୁମାର(୨୬) ଏବଂ ଲାଟେହର ଜିଲା ମାନିକା ଥାନା ମାନିକା ଗ୍ରାମର ଉପେନ୍ଦ୍ର ଯାଦବ(୨୪)। ସେମାନେ ଝାଡ଼ଖଣ୍ଡରୁ ଟ୍ରେନ ଯୋଗେ ଓଡ଼ିଶା ପଳାଇ ଆସିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ ଉଭୟଙ୍କୁ ରାଉରକେଲା ଷ୍ଟେସନରୁ ଧରିଥିଲା। ସେମାନେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିବାବେଳେ ଅନେକ ଗୁରୁତର ମାମଲାରେ ସମ୍ପୃକ୍ତ ଅଛନ୍ତି। ଝାଡ଼ଖଣ୍ଡ ପୁଲିସର ଓ୍ବାଣ୍ଟେଡ ତାଲିକାରେ ମଧ୍ୟ ସେମାନେ ରହିଛନ୍ତି।

ଗିରଫ ହେବା ପରେ, ଆରପିଏଫ ପକ୍ଷରୁ ରାଉରକେଲା ଏସପି ନିତେଶ ୱାଧୱାନୀଙ୍କୁ ସୂଚନା ଦିଆଯାଇଥିଲା। ଏସପିଙ୍କ ନିର୍ଦ୍ଦେଶ ପରେ ଡିଏସପି ଅମରେନ୍ଦ୍ର ଷଣ୍ଢ ଏବଂ ପ୍ଲାଣ୍ଟ ସାଇଟ୍ ଷ୍ଟେସନ୍ ଇନଚାର୍ଜ ବିଭାତସ କୁମାର ପ୍ରଧାନ ଆରପିଏଫ ପୋଷ୍ଟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଏ ସମ୍ପର୍କରେ ଝାଡ଼ଖଣ୍ଡର ଲାଟେହର ପୁଲିସକୁ ବି ସୂଚନା ଦିଆଯାଇଛି। ଯାହାଫଳରେ ସେଠାରେ ଚାଲିଥିବା ମାମଲା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଆରପିଏଫ ଓସି କମଲେଶ ସମାଦ୍ଦର କହିଛନ୍ତି ଯେ ଉଭୟ ବ୍ୟକ୍ତି ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ। ତଦନ୍ତ ଚାଲିଥିବାରୁ ବର୍ତ୍ତମାନ ବିସ୍ତୃତ ସୂଚନା ଦେଇହେବ ନାହିଁ।

Comments are closed, but trackbacks and pingbacks are open.