ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ପିଲାଙ୍କୁ ଫୁଟବଲ୍ ଖେଳ ସହ ଯୋଡାଯିବ- ଧର୍ମେନ୍ଦ୍ର ପ୍ରଧାନ

22

ମୁମ୍ବାଇ/ଭୁବନେଶ୍ୱର, ଅକ୍ଟୋବର ୩୦ – ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି ଜିଆନି ଇନଫାନଟିନୋ ଏବଂ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ ଏହି ଏମଓୟୁରେ ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ । ମୁଁ ପିଲାବେଳେ ଫୁଟବଲ୍ ଖେଳୁଥିଲି । ଆଜି ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯାଉଥିବା ବେଳେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମ ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି । ଆଗାମୀ ୪ ବର୍ଷ ମଧ୍ୟରେରେ ଫିଫା ଓ ଏଆଇଏଫଏଫ ସହଯୋଗରେ ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଯୋଡାଯିବ । ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡା ସହ ଯୋଡାଯିବାର ଯୋଜନା ରହିଛି ।

ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଥିବା ବେଳେ ଶିକ୍ଷାକୁ ସର୍ବସ୍ପର୍ଶୀ କରିବା, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଫୁଟବଲ କ୍ରୀଡାକୁ ସକାରାତ୍ମକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି । ଏହାବ୍ୟତିତ ଦେଶରେ ନୂଆ କ୍ରେଡିଟ ଫ୍ରେମଓ୍ୱାର୍କର ପ୍ରଣୟନ କରାଯାଉଛି । ଆଗାମୀ ଦିନରେ କ୍ରୀଡ଼ାକୁ କ୍ରେଡିଟ ଫ୍ରେମଓ୍ୱାର୍କର ରୂପାନ୍ତରଣ କରାଯିବ । ଦେଶର ପ୍ରଥମେ ପାଠ ପଢୁ ନଥିବା ପିଲା ଅଧିକ ଖେଳଖେଳି କରନ୍ତି ବୋଲି ଧାରଣା ଥିଲା । ମାତ୍ର ଏହି ଧାରଣା ଏବେ ଦୂର ହେଉଛି ।  ଏବେ ମୋଦି ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି । ଆସନ୍ତା ଦିନ ମାନଙ୍କରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଫୁଟବଲ ଭଳି ଶାରିରୀକ କ୍ରୀଡାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ, ମହାରାଷ୍ଟ୍ରର ସ୍କୁଲ ଶିକ୍ଷା ମନ୍ତ୍ରୀ ଦୀପକ କେସରକର, ଫୁଟବଲ ଫର୍ ସ୍କୁଲର ନିର୍ଦ୍ଦେଶିକା ଫତିମା ସିଦିବେ ଓ ଭାରତୀୟ ଫୁଟବଲ ଟିମର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.