ସୀମା ହାଇଦର୍‌ଙ୍କ ନକଲି ପ୍ରମାଣପତ୍ର ତିଆରି କରିବାରେ ସାହାଯ୍ୟ କରିଥିବା ୨ ଅଭିଯୁକ୍ତ ଗିରଫ

68

ନୋଇଡ଼ା: ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମାଙ୍କୁ ନେଇ ତଦନ୍ତ ଜୋର୍‌ ଧରିଛି। ଏହି ଘଟଣାର ତଦନ୍ତ କରି ନୋଇଡ଼ା ପୁଲିସ୍‌ ଦୁଇ ଜଣ ଭାରତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ପାକିସ୍ତାନୀ ମହିଳା ସୀମା ଓ ହିନ୍ଦୁସ୍ତାନୀ ଯୁବକ ସଚିନଙ୍କ ବିବାହ ପାଇଁ ଆବଶ୍ୟକୀୟ ନକଲି ପ୍ରମାଣପତ୍ର କରାଇବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।ଅଭିଯୁକ୍ତ ‌ଦ୍ବୟ ହେଉଛନ୍ତି ୟୁପିର ବୁଲନ୍ଦସର୍‌ର ପୁଷ୍ପେନ୍ଦ୍ର ଏବଂ ପୱନ। ପୁଲିସ୍‌ ସେ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୧୫ଟି ନକଲି ଆଧାରକାର୍ଡ ଜବତ କରିଛି।

ସେ ଦୁଇ ଜଣଙ୍କୁ ଗତ ୩ ଦିନ ହେବ ଜେରା କରାଯାଉଛି। ପୁଷ୍ପେନ୍ଦ୍ର ଏବଂ ପୱନ ଉତ୍ତରପ୍ରଦେଶର ବୁଲନ୍ଦସରର ଅହମଦାଗଡ଼ରେ ଥିବା ଜନସେବା କେନ୍ଦ୍ର ଚଳାନ୍ତି। ସୀମା ଗ୍ରେଟର୍‌ ନୋଇଡ଼ାରେ ପହଞ୍ଚିବା ପରେ ସଚିନଙ୍କ ସହ ମିଶି ଦୁହେଁ ବିବାହ କରିବାକୁ ବୁଲନ୍ଦସର୍‌ ଯାଇଥିଲେ। ବୁଲନ୍ଦସରରେ ଥିବା ଏହି ଜନସେବା କେନ୍ଦ୍ରରେ ସଚିନ ମୀନା ଏବଂ ସୀମା ହାଇଦର ସେମାନଙ୍କ ବିବାହ ପାଇଁ ଆବଶ୍ୟକ ନକଲି ପ୍ରମାଣପତ୍ର ପାଇଁ ସାହାଯ୍ୟ ଲୋଡିଥିଲେ। ସେମାନଙ୍କୁ ସାହାଯ୍ୟ କରି ପ୍ରମାଣପତ୍ର ଯୋଗାଇଥିଲେ ପୁ‌ଷ୍ପେନ୍ଦ୍ର ଏବଂ ପୱନ।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ପାକିସ୍ତାନୀ ସୀମାଙ୍କର ଜାଲ୍‌ ଆଧାରକାର୍ଡ କରିବାରେ ପୁ‌ଷ୍ପେନ୍ଦ୍ର ଏବଂ ପୱନଙ୍କ ସଂପୃକ୍ତି ରହିଛି। ଏହି ନକଲି କାର୍ଡ ତିଆରିରେ ବ୍ୟବହୃତ ହୋଇଥିବା ଉପକରଣଗୁଡ଼ିକୁ ମଧ୍ୟ ଜବତ କରିଛି ପୁଲିସ୍‌।

Comments are closed, but trackbacks and pingbacks are open.