ରାଜଧାନୀରେ ପ୍ରଥମ ଅନ୍ତର୍ଜାତୀୟ ମେରୁଦଣ୍ଡ କର୍ମଶାଳା

27

ଭୁବନେଶ୍ୱର,୪ା୧୧: ସର୍ବଭାରତୀୟ ସ୍ପାଇନ୍‍ ଆସୋସିଏନ୍‍ ପକ୍ଷରୁ ଗୁରୁବାର ଭୁବନେଶ୍ୱରରେ ପ୍ରଥମ ଅନ୍ତର୍ଜାତୀୟ ମେରୁଦଣ୍ଡ କର୍ମଶାଳା ‘ଆଇସିଏସ୍‌-୨୦୨୨’ ଉଦ୍‍ଘାଟିତ ହୋଇଯାଇଛି । ଏହି କର୍ମଶାଳା ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ମେରୁଦଣ୍ଡ ଜନିତ ବିଭିନ୍ନ ରୋଗର କାରଣ, ଡାକ୍ତରୀ ପରୀକ୍ଷା ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା ହେବ । ଏଥିରେ ଦେଶ ବିଦେଶରୁ ୫୦୦ରୁ ଊର୍ଦ୍ଧ୍ୱ ଲବ୍‍ଧ ପ୍ରତିଷ୍ଠିତ ଓ ଅଭିଜ୍ଞ ସ୍ପାଇନ୍ ସର୍ଜନ, ଅସ୍ଥିଶଲ୍ୟ ବିଶେଷଜ୍ଞ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଯୋଗ ଦେଇଛନ୍ତି । କର୍ମଶାଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମେରୁଦଣ୍ଡ ଜନିତ ରୋଗର ଚିକିତ୍ସା ଉପରେ ଆଲୋକପାତ କରିଥିଲେ । ଏପରି କର୍ମଶାଳା ଓଡ଼ିଶାରେ ବିଭିନ୍ନ ପ୍ରକାର ମେରୁଦଣ୍ଡ ରୋଗ ଓ ମେରୁଦଣ୍ଡ ଜନିତ ଆଘାତର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସହାୟକ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ ।

ସମ୍ମାନୀୟ ଅତିଥି ଭାବେ ଆରଏମ୍‌ଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ଯୋଗଦେଇ କହିଲେ, ପୂର୍ବରୁ ଓଡ଼ିଶାରେ ଉନ୍ନତ ଧରଣର ମେରୁଦଣ୍ଡ ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ନ ଥିଲା । କିନ୍ତୁ ବର୍ତ୍ତମାନ ଏହି ରୋଗର ଚିକିତ୍ସାରେ ବହୁ ଉନ୍ନତି ପରିଲକ୍ଷିତ ହେବା ସହ ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା ରହିଛି ବୋଲି ସେ ମତ ଦେଇଥିଲେ । ଏଥିରେ ସର୍ବଭାରତୀୟ ସ୍ପାଇନ୍‍ ଆସୋସିଏସନ୍‍ର ସଭାପତି ଡା. ଶଙ୍କର ଆଚାର୍ଯ୍ୟ ଯୋଗ ଦେଇ କହିଲେ, ଏହି କର୍ମଶାଳା ଓଡ଼ିଶାରେ ବିଭିନ୍ନ ପ୍ରକାର ମେରୁଦଣ୍ଡ ରୋଗ ଓ ମେରୁଦଣ୍ଡ ଜନିତ ଆଘାତ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଦିଗ୍‍ଦର୍ଶନ ଦେବ । ଆୟୋଜକ କମିଟି ଅଧ୍ୟକ୍ଷ ଡା. ମଦନ ମେହନ ସାହୁ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଆୟୋଜକ କମିଟିର ସମ୍ପାଦକ ଡା. ଜିତେନ୍ଦ୍ର କୁମାର ରାଉତ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ନଭେମ୍ବର ୬ ତାରିଖରେ କିମ୍‌ସ ଭୁବନେଶ୍ୱରରେ ଡାକ୍ତରମାନଙ୍କ ପାଇଁ ଏକ ଲାଇଭ୍ ସର୍ଜରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଆସୋସିଏସନ୍ ସମ୍ପାଦକ ଡା. ଗୌତମ୍ ଜାଭେରି ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.