ବିଜେପିରେ ସାମିଲ ହେବେ ଟିଏମସିର ୧୭ ବିଦ୍ରୋହୀ ସାଂସଦ

8

କୋଲକାତା: କିଛି ମାସ ତଳେ ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ତୃଣମୂଳ କଂଗ୍ରେସର ହାତ ଛାଡ଼ି ନାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନସିପିଆଇ)ରେ ମିଶିଥିବା ସାଂସଦଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଗଲାଣି । ଟିଏମସି ଛାଢ଼ି ଏନସିପିଆଇରେ ମିଶିଥିବା ୨୦ ସାଂସଦଙ୍କ ମଧ୍ୟରୁ ୧୭ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି କୁଚବିହାର ଲୋକସଭା ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା ବସୁନିୟା ଆଜି ଏକ ବଡ଼ ବୟାନ ଦେଇଛନ୍ତି । ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବସୁନିଆ କହିଛନ୍ତି ଯେ ୧୭ ଜଣ ସାଂସଦ ଏକାଠି ବିଜେପିରେ ଯୋଗଦେବା ପାଇଁ ଯୋଜନା ଚୂଡ଼ାନ୍ତ କରିଛନ୍ତି। ସେମାନଙ୍କ କ୍ଷେତ୍ରରେ ଦଳ-ବଦଳ ବିରୋଧୀ ଆଇନ୍ ଲାଗୁ ହେବ ନାହିଁ, କାରଣ ଦୁଇ-ତୃତୀୟାଂଶରୁ ଅଧିକ ସାଂସଦ ଏକାଠି ଦଳ ପରିବର୍ତ୍ତନ କରୁଛନ୍ତି। ସେ କହିଥିଲେ ଯେ, “ଆମେ ୧୭ ଜଣ ସାଂସଦ ଏକାଠି ବିଜେପିରେ ଯୋଗଦେବାକୁ ଯାଉଛୁ। ଯେହେତୁ ୨୦ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟ ଏକାଠି ଯାଉଛନ୍ତି, ତେଣୁ ଆମ ଉପରେ ଦଳ-ବଦଳ ବିରୋଧୀ ଆଇନ୍ ଲାଗୁ ହେବ ନାହିଁ।” ଜୁନ୍ ୧୪ ତାରିଖରେ, ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (NCPI) ସହିତ ମିଶିବାକୁ ଘୋଷଣା କରିଥିଲେ ଏବଂ ଶାସକ ‘ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ’ ଏନଡିଏ କୁ ସମର୍ଥନ ଜଣାଇଥିଲେ। ତେବେ ବସୁନିଆ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ତିନିଜଣ ସାଂସଦ—ଯେଉଁମାନେ NCPIର ୨୦ ଜଣ ସାଂସଦଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ—ଔପଚାରିକ ଭାବେ ବିଜେପିରେ ଯୋଗ ଦେବେ ନାହିଁ। ସେମାନଙ୍କ ନିଜ ନିଜ ନିର୍ବାଚନ ମଣ୍ଡଳୀର ରାଜନୈତିକ ଓ ପ୍ରଶାସନିକ ପରିସ୍ଥିତିକୁ ସେ ଏହି ନିଷ୍ପତ୍ତିର କାରଣ ଭାବେ ଦର୍ଶାଇଛନ୍ତି। ବସୁନିଆଙ୍କ ଅନୁଯାୟୀ, ଆବୁ ତାହେର ଖାନ୍, ଖଲିଲୁର ରହମାନ ଏବଂ ୟୁସୁଫ୍ ପଠାନ ବିଜେପିରେ ଯୋଗ ନ ଦେଇ ବାହାରୁ ଏନଡିଏକୁ ସମର୍ଥନ ଯୋଗାଇବେ। ସେ ଦାବି କରିଛନ୍ତି ଯେ ଭବିଷ୍ୟତରେ ଏହି ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇପାରେ। ସେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସେ ଆଉ ଟିଏମସି ସହିତ ନାହାନ୍ତି ଏବଂ ରାଜନୈତିକ ଭାବେ ଏନଡିଏ ସହ ଯୋଡ଼ି ହୋଇଛନ୍ତି।

Comments are closed, but trackbacks and pingbacks are open.