୧୬ ଲକ୍ଷ ନକଲି ନୋଟ ଜବତ

23

ଭୁବନେଶ୍ୱର: ପୁଣି ଓଡ଼ିଶା ବଜାରରେ ଜାଲ ନୋଟ କାରବାର ରାକେଟ ଠାବ ହୋଇଛି । ରାକେଟରେ ସଂପୃକ୍ତ ଦିଲ୍ଲୀର ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ ରାଉରକେଲା ସେକ୍ଟର ୧୫ରେ ଚଢ଼ଉ କରି ଗିରଫ କରିଛି । ସେକ୍ଟର ୧୭ରେ ଥିବା ଏକ ଜନସେବା କେନ୍ଦ୍ରରେ ଟଙ୍କା ଛପାଯାଉଥିବା ବେଳେ ସେଠାରୁ ୧୬ଲକ୍ଷ ୧୧ହଜାର ଟଙ୍କାର ୫୦୦ଟଙ୍କିଆ ନକଲି ନୋଟ ଜବତ କରିଛି ଏସଟିଏଫ୍ । ଏହାସହ ଘଟଣାସ୍ଥଳରୁ ଲାପଟପ୍‌, କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ତେବେ ଏହି ମାମଲାରେ ଦିଲ୍ଲୀ ବଡ଼ାରପୁର ଥାନା ଅଞ୍ଚଳର ସେକ୍ ମହମ୍ମଦ ନାମକ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଟିଏଫ୍ ଟିମ୍ । ଜବତ ନକଲି ନୋଟ ମଧ୍ୟରେ ୫୦୦ ଓ ୨୦୦ ଟଙ୍କିଆ ଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଜନସେବା କେନ୍ଦ୍ର ଆଳ କରି ତା’ଭିତରେ ଲୁଚାଛପାରେ ନକଲି ଟଙ୍କା ଛପା ଯାଉଥିବା ଏସ୍‌ଟିଏଫକୁ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଥିଲା । ଖବରପାଇ ଏସ୍‌ଟିଏଫ ରାଉରକେଲା ସେକ୍ଟର ୧୫ପୁଲିସ ଷ୍ଟେସନ ଅନ୍ତର୍ଗତ ସେକ୍ଟର ୧୭ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଚଢ଼ଉ କରିଥିଲା । ସେଠାରୁ ୧୬ଲକ୍ଷ ୧୧ହଜାର ଟଙ୍କାର ଜାଲ୍ ନୋଟ ଜବତ କରିବା ସହ ମୁଖ୍ୟ କାର୍ପଟଦାର ସେକ୍ ମହମ୍ମଦକୁ ଗିରଫ କରିଥିଲା । ଏହାସହ ନକଲି ଟଙ୍କା ଛାପିବା ନେଇ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ ଅଭିଯୁକ୍ତ କିପରି ଏହି ନେଟୱର୍କ ଚଲାଇଥିଲା; ଏହାପଛରେ ଆଉ କିଏ କିଏ ଅଛନ୍ତି; ଏ ନେଇ ଖୋଳତାଡ଼ ଚଳାଇଛି ଏସଟିଏଫ୍ । ଅଭିଯୁକ୍ତ ମହମ୍ମଦ ରାଜ୍ୟର କେଉଁ କେଉଁ ଅଞ୍ଚଳକୁ ନକଲି ଟଙ୍କା କେତେ ପରିମାଣରେ ପଠାଇଛି; ସେନେଇ ତନାଘନା ଆରମ୍ଭହୋଇଛି । ଏନେଇ ସେକ୍ଟର ୧୫ ଥାନାରେ ୭୫/୨୨ରେ ମାମଲା ରୁଜୁ ହୋଇଛି । ଆଗକୁ ଦଶହରା ଆସୁଥିବାରୁ ପୂଜାବଜାରରେ ନକଲି ନୋଟ କାରବାର ପାଇଁ ଯୋଜନା ହୋଇଥିଲା । ରାକେଟରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଟିଏଫ ଡିଏସ୍‌ପି ସଚ୍ଚିତାନନ୍ଦ ରଥ କହିଛନ୍ତି । ଏହାପୂର୍ବରୁ ଜୁଲାଇ ମାସରେ ୨୯ଲକ୍ଷ ୪୧ହଜାର ଟଙ୍କାର ନକଲି ନୋଟ ଜବତ କରିଥିଲା ଏସ୍‌ଟିଏଫ୍ । ଜୁଲାଇ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଥିଲା । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ନକଲି ନୋଟ ସହ ଲ୍ୟାପ୍‌ଟପ ଓ କଲର ପ୍ରିଣ୍ଟର ଜବତ କରାଯାଇଥିଲା । ପ୍ରକାଶ ଥାଉକି ଏସ୍‌ଟିଏଫ୍ ୨୦୨୦ରେ ୨୯ଲକ୍ଷ ୪୧ହଜାର ଟଙ୍କା ଜବତ କରିଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Comments are closed, but trackbacks and pingbacks are open.