ରାଚେଲ୍‍ ରୁଟୋଙ୍କୁ ଦ୍ୱାଦଶ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’

828

କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ମାନବବାଦର ଶ୍ରେଷ୍ଠ ସ୍ୱୀକୃତି: ରାଜ୍ୟପାଳ

ଭୁବନେଶ୍ୱର, ୩୦ ।୯: କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାର୍ଷ୍ଟ ଲେଡି ରାଚେଲ୍‍ ରୁଟୋଙ୍କୁ ଦ୍ୱାଦଶ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ଶନିବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମାଜସେବା ବିଶେଷ କରି ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଉତ୍‍ଥାନ ପାଇଁ ରାଚେଲ୍‍ କାର୍ଯ୍ୟ କରିବା ସହ ପରିବେଶ ଓ ଜଳବାୟୁ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କିସ୍‍ ପକ୍ଷରୁ ରାଚେଲ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଗ୍ରହଣ କରି ରାଚେଲ କହିଲେ, କିଟ୍‍ ଓ କିସ୍‍ର ସର୍ବୋଚ୍ଚ ସମ୍ମାନ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ’ ଗ୍ରହଣ କରିବା ପାଇଁ ମୁଁ ବହୁ ଦୂରରୁ ଓଡ଼ିଶା ଆସିଛି। ମୁଁ କରିଥିବା କାର୍ଯ୍ୟକୁ ଏଠାରେ ସ୍ୱୀକୃତି ମିଳିଥିବାରୁ ସମ୍ମାନ ଚୟନ କମିଟି, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ତଥା ସମସ୍ତ କର୍ମଚାରୀଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ। ଏହି ସମ୍ମାନ କେବଳ ଯେ ମୋ ପ୍ରୟାସକୁ ସ୍ୱୀକୃତି ତା ନୁହେଁ ଏହା କେନିୟାବାସୀ ବିଶେଷ କରି କେନିୟାର ମହିଳାମାନଙ୍କ ସହନଶୀଳତା ଓ ସାହସର ସ୍ୱୀକୃତି ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଏହି ସମ୍ମାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ଏହି ସମ୍ମାନ ହେଉଛି ଏକ ସାଧାରଣ ଆତ୍ମା ଏକ ବିଶୁଦ୍ଧ ଆତ୍ମାକୁ ଭଲପାଇବାର ନିଦର୍ଶନ। ମାନବକୈନ୍ଦ୍ରିକ ବିଶ୍ୱକୁ ମାନବିକତାର ସ୍ଥାନରେ ପରିଣତ କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଏହି ସମ୍ମାନ ଉତ୍ସର୍ଗୀକୃତ। ଏହି ସମ୍ମାନ ହେଉଛି ମାନବବାଦର ଶ୍ରେଷ୍ଠ ସ୍ୱୀକୃତି ବୋଲି ରାଜ୍ୟପାଳ କହିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଆମେ ଦୁଇଟି ଭିନ୍ନ ଦେଶର ଲୋକ ହୋଇଥିଲେ ମଧ୍ୟ ଆମର କାର୍ଯ୍ୟ ଆମ ଦୁହିଁଙ୍କୁ ଏକାଠି କରିପାରିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ, ଭାରତରେ ଅବସ୍ଥାପିତ କେନିୟା ଉଚ୍ଚାୟୁକ୍ତ ଉଇଲି କେ ବେଟ୍‍, କିଟ୍‍ ଓ କିସ୍‍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶଙ୍କ ସମେତ କେନିୟାର ୨୫ ଜଣିଆ ପ୍ରତିନିଧି ଦଳ ଓ କିଟ୍‍ ଓ କିସ୍‍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ଏକ ବିଶ୍ୱ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ୨୦୦୮ରୁ ପ୍ରଦାନ କରାଯାଇଆସୁଛି। ୨୦୧୮ରେ ବିଶିଷ୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍‍ଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଥିଲା । ତା ପୂର୍ବରୁ ୨୦୧୭ରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ୨୦୧୬ରେ ବିଶିଷ୍ଟ ହଲିଉଡ୍‍ ଅଭିନେତ୍ରୀ, ଲେଖିକା, ସମାଜସେବୀ ତଥା ୟୁଏନ୍‍ଏଫ୍‍ପିଏର ଗୁଡ୍‍ଉଇଲ୍‍ ଆମ୍ବାସାଡ଼ାର ଆସ୍‍ଲେ ଜଡ୍‍, ୨୦୧୫ରେ ପେରୁର ପ୍ରାକ୍ତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟଲେଡୋ, ୨୦୧୪ରେ ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ, ୟୁଏନ ୱିମେନ୍‍ର ପ୍ରାକ୍ତନ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନେ ଏଫ୍‍. ଷ୍ଟେନାହାମର୍‍, ୨୦୧୩ରେ ସୁଇଜରଲାଣ୍ଡର ବିଶିଷ୍ଟ ଜନପ୍ରିୟ ସମାଜସେବୀ ତଥା ଫ୍ରାନ୍‌ସିକୋ ଜାଭିଅର୍ ବ୍ୟାଗ୍‌ନଡ୍ (ଏଫ୍‌ଏକ୍‌ସବି) ସେଣ୍ଟର ଫର ହେଲ୍‌ଥ ଆଣ୍ଡ ହ୍ୟୁମାନ ରାଇଟ୍‌ସର ପ୍ରତିଷ୍ଠାତା ତଥା ସଭାପତି ଆଲ୍‌ବିନା ଡୁ ବୋସ୍ରୋଭେଙ୍କୁ ପ୍ରଦାନ କରା ଯାଇଥିଲା। ସେହିପରି ୨୦୧୨ରେ ଭୁଟାନର ପ୍ରଧାନମନ୍ତ୍ରୀ ଥିନ୍‌ଲେ ଜିଗ୍‌ମେ, ୨୦୧୧ ରେ ବ୍ରିଟେନ୍‍ର ବିଶିଷ୍ଟ ଆଇନଜ୍ଞ ଲର୍ଡ ନିକୋଲାସ୍ ଆଡିସନ୍ ଫିଲିପ୍‌ସ, ୨୦୧୦ରେ ମରିସସ୍ ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜଗନ୍ନାଥ, ୨୦୦୯ରେ କୋରିଆର ବିଶିଷ୍ଟ ଶିକ୍ଷାବିତ, ଚିକିତ୍ସକ ତଥା ହାନ୍‌ସେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡଃ ହାମ୍ କି ସନ୍ ଓ ୨୦୦୮ରେ ବିଶିଷ୍ଟ ସମାଜସେବୀ ଦକ୍ଷିଣ ଆଫ୍ରିକା କେନ୍ଦ୍ରମନ୍ତ୍ରୀ ଏଡ୍‌ନା ବୋମୋ ମୋଲେୱାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Comments are closed, but trackbacks and pingbacks are open.