ଭୂମିକମ୍ପରେ ଚାଲିଗଲା ୧୨୯ ଜୀବନ; ବଢିପାରେ ମୃତ୍ୟୁସଂଖ୍ୟା

27

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଏବେ ସୁଦ୍ଧା ୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଗୁରୁତର ଆହତ ହୋଇଛନ୍ତି । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ।

ଜାତୀୟ ଭୂକମ୍ପ ମାପନ କେନ୍ଦ୍ରର ଅଧିକାରୀଙ୍କ କହିବାନୁସାରେ, ଜାଜରକୋଟ ଜିଲ୍ଲାର ଲମିଦଣ୍ଡା ଅଞ୍ଚଳରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ବିହାର ସମେତ ଦେଶର ଅନେକ ସ୍ଥାନରେ ଏହାର କମ୍ପନ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ସକାଳ ପ୍ରାୟ ୫ଟାର ସୂଚନା ଅନୁଯାୟୀ ଏଯାବତ୍ ଭୂକମ୍ପରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ରୁକୁମରୁ ୩୬ ଜଣଙ୍କର ମୃତଦେହ ମିଳିଥିବା ବେଳେ ଜାଜରକୋଟରୁ ୯୨ ଜଣଙ୍କର ମଋତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ରୁକୁମର ଜିଲ୍ଲା ମୁଖ୍ୟ ଅଧିକାରୀ ହରି ପ୍ରସାଦ ପନ୍ତ ।

ସୂଚନାଯୋଗ୍ୟ ଯେ, ନେପାଳରେ ଗତ କିଛି ଦିନ ଭିତରେ ଅନେକ ଭୂକମ୍ପ ଘଟଣା ସାମ୍ନାକୁ ଆସିଛି । ଗତମାସ ୨୨ ଅକ୍ଟୋବର ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ନେପାଳ ଥିଲା । ନେପାଳରେ ସେହିଥର ଦିନକୁ ୪ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମେ ସକାଳ ୭.୩୯ ମିନିଟରେ ୬.୧ ତିବ୍ରତା ବିଶିଷ୍ଠ ଭୂକମ୍ପ ହୋଇଥିଲା । ପରେ ୮.୦୮ ମିନିଟରେ ୪.୨ ତିବ୍ରତା, ୮.୨୮ ମିନିଟରେ ୪.୩ ତିବ୍ରତା ଓ ୮.୫୯ ମିନିଟରେ ଚତୁର୍ଥ ଥର ପାଇଁ ଭଋକମ୍ପ ଝଟକା ଅନୁଭୁତ ହୋଇଥିଲା ।

Comments are closed, but trackbacks and pingbacks are open.