ଭାରତ ଆସିବେ ୧୨ ଚିତା !

29

ଭାରତ ଆସିବ ଆଉ ୧୨ଟି ଚିତା ବାଘ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ଫେବୃୟାରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୮,୨୫୦ କିମି ଅତିକ୍ରମ କରି ଚିତାଗୁଡ଼ିକ ଭାରତ ମାଟିରେ ପହଞ୍ଚିବେ । ଏଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ ବୋଲି ସୂଚନା ମିଳିଛି । ଏହାଦ୍ୱାରା ଦେଶରେ ମୋଟ ଚିତା ସଂଖ୍ୟା ୨୦ରେ ପହଞ୍ଚିବ । ପୂର୍ବରୁ ନାମିବ୍ୟାରୁ ଭାରତକୁ ୮ଟି ଚିତା ଆସିଥିଲେ । ଦକ୍ଷିଣ ଆଫ୍ରିକାର ଗୁଏଟେଙ୍ଗସ୍ଥିତ ଓ.ଆର. ଟାମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାରତୀୟ ବାୟୁସେନାର ପରିବହନକାରୀ ବିମାନ ଯୋଗେ ୭ଟି ଅଣ୍ଡିରା ଓ ୫ ମାଈ ଚିତାବାଘ ଭାରତ ଆସିବେ । ଶୁକ୍ରବାର ସନ୍ଧ୍ୟାରେ ଚିତାମାନେ ନୂଆ ଠିକଣା ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

ଚିତାଗୁଡ଼ିକ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ୱାଲିଅରସ୍ଥିତ ବାୟୁସେନା ଘାଟିରେ ପହଞ୍ଚିବେ । ୩୦ ମିନିଟ୍ ପରେ ହେଲିକପ୍ଟର ଯୋଗେ ପ୍ରାୟ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲାର କୁନୋ ପାର୍କରେ ପହଞ୍ଚାଇ ଦିଆଯିବ । ଅନୁସାରେ ଦକ୍ଷିଣ ଆଫ୍ରିକାରୁ ଆସିବାକୁ ଥିବା ୧୨ ଚିତା ପାଇଁ ୧୦ଟି ଏନକ୍ଲୋଜର ସ୍ଥାପନ କରାଯାଇଛି । ଦୁଇଟି ଏନକ୍ଲୋଜରରେ ଦୁଇଯୋଡ଼ା ଚିତାକୁ ରଖାଯିବ । ଅଧିକାରୀଙ୍କ ମୁତାବକ ଦକ୍ଷିଣ ଆଫ୍ରିକାରୁ ଏକ ପ୍ରତିନିଧି ମଣ୍ଡଳୀ ଗତବର୍ଷ ସେପ୍େଟମ୍ବରରେ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲା । ଏହି ସମୟରେ ସେମାନେ ଜାତୀୟ ଉଦ୍ୟାନରେ ଚିତାଙ୍କ ଲାଗି ରହିବା ସ୍ଥାନକୁ ପରଖିଥିଲେ ।

ଚିତାଗୁଡ଼ିକର ସ୍ଥାନାନ୍ତରଣ ସକାଶେ ଗତମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ତେବେ ସ୍ଥାନାନ୍ତରଣ ପୂର୍ବରୁ ଗୋଟିଏ ଚିତାକୁ ଧରିବା ପାଇଁ ୩,୦୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ । ଆଗାମୀ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ୧୦୦ ଚିତା ଦେବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.