କିସ୍‍ର ୧୧ ଛାତ୍ରଛାତ୍ରୀ ନିଟ୍ ରେ କୃତକାର୍ଯ୍ୟ

6

ଭୁବନେଶ୍ୱର, ୧୭ ।୭: ଡାକ୍ତର ହେବେ କିସର ୧୧ ଛାତ୍ରଛାତ୍ରୀ। ଗତକାଲି ନିଟ୍‍ ଫଳାଫଳ ପ୍ରକାଶ ପାଇଥିବା ବେଳେ କିସ୍‍ର ୧୧ ଜଣ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ବିରୁଆ, ଜୟାବ ମାଝି, ଅନିତା ବଇପାଇ, ଗଣେଶ ହେମ୍ବ୍ରମ, ମୁସ୍କାନ ମହାନନ୍ଦିଆ, ଲକ୍ଷ୍ମୀ ବାନରା, ଡାଙ୍ଗି ଟୁଡୁ, ସରିବାଳା ମୁଣ୍ଡା, ମୌସୁମୀ ମାଝି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଓ ସନ୍ତୋଷୀ ମାର୍ଡି। ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିରେ କିସ୍ ରେ ପଢୁଥିବା ଓଡ଼ିଶା ସମେତ ଝାଡ଼ଖଣ୍ଡର ଛାତ୍ରଛାତ୍ରୀମାନେ ମଧ୍ୟ ଅଛନ୍ତି।

ଏହି ଛାତ୍ରଛାତ୍ରୀଙ୍କ ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିସରେ ସେମାନଙ୍କ ଗୁଣାତ୍ମକ ଶିକ୍ଷା, କୋଚିଂ ଓ ଉପଯୁକ୍ତ ଯତ୍ନ ତଥା ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଇଥିବାରୁ ସେମାନେ ଏଭଳି ସଫଳତା ପାଇ ପାରୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଜନଜାତି ସଂପ୍ରଦାୟର ପ୍ରଥମ ପିଢୀର ଶିକ୍ଷା ପାଉଥିବା ଏହି ଛାତ୍ରଛାତ୍ରୀମାନେ ନିଟ୍‍ ରେ ସଫଳତା ପାଇବା ସମଗ୍ର ଜନଜାତି ସମାଜ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ଚେଷ୍ଟା ଜାରି ରଖିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଯୋଗ୍ୟ, କିସ୍‍ ରେ ପିଲାମାନେ ନିଟ୍‍ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର କୋଚିଂର ବ୍ୟବସ୍ଥା କରାଯାଇଥାଏ। ଫଳରେ ସେମାନେ ଉଚ୍ଚଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିଆସୁଛନ୍ତି ।

Comments are closed, but trackbacks and pingbacks are open.