୧୧ କୋଟିିର ବ୍ରାଉନ୍‌ସୁଗାର ଜବତ, କିଙ୍ଗପିନ୍ ସମେତ ୬ ଗିରଫ

30

ଭୁବନେଶ୍ୱର: ବାଲେଶ୍ୱର ପୁଲିସ ହାତରେ ଲାଗିଛି ବଡ଼ ସଫଳତା । ଜବତ ହୋଇଛି ବିପୁଳ ପରିମାଣ ବ୍ରାଉନ୍‌ସୁଗର । କୋଟିଏ ନୁହେଁ କି ଦୁଇ କୋଟି, ଏକାଥରକେ ୧୧ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି ବାଲେଶ୍ୱର ପୁଲିସ । ଯାହାର ଓଜନ ପ୍ରାୟ ୧୦ କିଲୋଗ୍ରାମ୍ ବୋଲି ପୂର୍ବାଞ୍ଚଳ ଆଇଜି ଏବଂ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି । ଏହା ବ୍ରାଉନ୍‌ସୁଗର ଜବତ ଇତିହାସର ସବୁଠାରୁ ବଡ ଅପରେସନ୍ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ବ୍ରାଉନ୍‌ସୁଗର କାରବାର ଅଭିଯୋଗର କିଙ୍ଗପିନ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି । କିଙ୍ଗପିନ୍ ମଧ୍ୟ ପ୍ରଦେଶର ହୋଇଥିଲା ବେଳେ ଅନ୍ୟ ୫ ଜଣ ବାଲେଶ୍ୱର ଜିଲ୍ଲାର । ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ଏମାନେ ପଶ୍ଚିମବଙ୍ଗ ଏବଂ ଆସାମ ବର୍ଡରରୁ ବ୍ରାଉନ୍‌ସୁଗର ଆଣିଥାନ୍ତି । କିଛିଦିନ ତଳେ ଏକ ବଡ ଧରଣର ବ୍ରାଉନ୍‌ସୁଗର କାରବାର ନେଇ ପୁଲିସ ସୂଚନା ପାଇଥିଲା । ଏନେଇ ବାଲେଶ୍ୱର ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫୁଲାଡ଼ି ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ହେଉଥିଲା ବେଳେ ପୁଲିସ ଛାପା ମାରିଥିଲା । ସ୍ୱତନ୍ତ୍ର ଭାବେ ପ୍ୟାକିଂ କରାଯାଇଥିବା ବ୍ରାଉନ୍‌ସୁଗର ବ୍ୟାଗ୍ ଗୁଡିକୁ ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ବାଇକ୍ ଏବଂ ୫ଟି ସ୍ମାଟ୍ ଫୋନ୍ ଏବଂ ୨୦ ହଜାର ଟଙ୍କା ଜବତ କରାଯାଇଛି । ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ ଏମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନ୍‌ସୁଗର ଚାଲାଣ କରିଥାନ୍ତି । ସୂଚନାଯୋଗ୍ୟ ରାଜଧାନୀ ସମେତ ବିଭିନ୍ନ ଜିଲାରେ ବ୍ରାଉନ୍‌ସୁଗର କାରବାରରେ ବାଲେଶ୍ୱର ଲିଙ୍କ ସାମ୍ନାକୁ ଆସିଥାଏ । ବାଲେଶ୍ୱର ଜିଲା ରାଜ୍ୟର ବ୍ରାଉନ୍‌ସୁଗର ଗୋଦାମ ପାଲଟିଛି ।

Comments are closed, but trackbacks and pingbacks are open.