ଟାର୍ଗେଟ୍‌ରେ ଲରେନ୍ସ ବିଷ୍ନୋଇ, ନୀରଜ ବୱାନା ସମେତ ୧୦ ଗ୍ୟାଙ୍ଗଷ୍ଟର୍‌

27

ନୂଆଦିଲ୍ଲୀ: ନାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଗ୍ୟାଙ୍ଗ୍‌ଷ୍ଟର ଏବଂ ସେମାନଙ୍କ ସହଯୋଗୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୋମବାର ଉତ୍ତର ଭାରତର ୬୦ଟି ସ୍ଥାନରେ ଚଢ଼ଉ କରିଛି । ଦେଶ ସମେତ ଦେଶର ଜେଲ୍ ଏବଂ ବିଦେଶରେ ବସି ଗ୍ୟାଙ୍ଗ୍‌କୁ ଅପରେଟ୍ କରୁଥିବା ଟପ୍ ଗ୍ୟାଙ୍ଗଷ୍ଟର୍ ଏହି ଚଢ଼ଉ ରାଡାର୍‌ରେ ରହିଛନ୍ତି । ଟାର୍ଗେଟ୍ କିଲିଂ ଏବଂ ଅନ୍ୟ ଗତିବିଧିରେ ସଂପୃକ୍ତ ଗ୍ୟାଙ୍ଗ୍‌ଷ୍ଟର୍ ଏବଂ ସେମାନଙ୍କ ଗ୍ୟାଙ୍ଗ୍ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଛି । ନିକଟରେ ଏନ୍‌ଆଇଏ ନୀରଜ ବୱାନା, ଲରେନ୍ସ ବିଷ୍ନୋଇ ଏବଂ ଟିଲୁ ତାଜପୁରିଆ ସମେତ ୧୦ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ବିରୋଧରେ କେସ୍ ରୁଜୁକରି ତଦନ୍ତ ଚଳାଇଥିଲା । ସେମାନଙ୍କ ବିରୋଧ ୟୁଏପିଏ ଧାରା ମଧ୍ୟ ଲଗାଯାଇଛି । ଏନ୍‌ଆଇର ଏହି ଚଢ଼ଉ ଦିଲ୍ଲୀ-ଏନ୍‌ସିଆର୍‌, ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ କରାଯାଉଛି । କେତେକ ମାମଲାର ତଦନ୍ତ ବେଳେ ବିଶେଷକରି ପଞ୍ଜାବ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଖଲିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଥିଲା । ଏହାପରେ ଏନ୍‌ଆଇଏ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂତ୍ର ଅନୁସାରେ ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କିଲିଂ ସହିତ ସୋସିଆଲ୍ ମିଡିଆରେ ଯୁବକମାନକୁ ପଥଭ୍ରଷ୍ଟ କରୁଛନ୍ତି । ଏହା ସହିତ ଗ୍ୟାଙ୍ଗ୍‌ୱାର୍‌ର ଦୁଷ୍ପ୍ରଚାର ମଧ୍ୟ କରୁଛନ୍ତି । ସୋସିଆଲ୍ ମିଡିଆରେ କ୍ରାଇମ୍ ଏବଂ ଗ୍ୟାଙ୍ଗ୍‌ୱାର୍‌ର ଫଟୋ ପୋଷ୍ଟ କରି ଗ୍ୟାଙ୍ଗ୍ ମୁଖିଆ ନିଜକୁ ରବିନ୍ ହୁଡ୍ ଭାବେ ମଧ୍ୟ ସାବ୍ୟସ୍ତ କରୁଛନ୍ତି । ଏନ୍‌ଆଇଏ ସୂତ୍ର ଅନୁସାରେ ନୀରଜ ସହରାୱତ୍ ଓରଫ୍ ନୀରଜ ବୱାନା ଏବଂ ତା ଗ୍ୟାଙ୍ଗ୍ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ବଡ଼ ବଡ଼ ବ୍ୟକ୍ତିଙ୍କ ହତ୍ୟା ଏବଂ ଆତଙ୍କ ଘଟାଇବାରେ ଲାଗିଛି । ସେହିପରି ତା’ ଗ୍ୟାଙ୍ଗ୍‌ର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ସହ ଗ୍ୟାଙ୍ଗ୍‌ୱାର୍ ମଧ୍ୟ ଚାଲିଥିବା ଜଣାପଡ଼ିଛି । ନୀରଜ ବୱାନାକୁ ଅପରାଧ ଦୁନିଆର ଲୋକମାନେ ‘ଦିଲ୍ଲୀର ଦାଉଦ୍‌’ ବୋଲି ମଧ୍ୟ କହିଥାନ୍ତି । ନୀରଜ ଏବେ ଜେଲ୍‌ରେ ଥିଲେ ମଧ୍ୟ ନିଜ ଗୁଣ୍ଡାଙ୍କ ମାଧ୍ୟମରେ ତା ଆତଙ୍କରାଜ ଜାରି ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଲରେନ୍ସ ବିଷ୍ନୋଇ, ଗୋଲ୍ଡି ବରାର୍ ସମେତ କେତେକ ବଡ଼ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ବିରୋଧରେ ୟୁଏପିଏ ଅଧୀନରେ ଏଫ୍‌ଆଇଆର୍ କରିଥିଲା । ଏହି ମାମଲାର ମଧ୍ୟ ଏନ୍‌ଆଇ ତଦନ୍ତ ଚଳାଇଛି । ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍ ସୂତ୍ର ଅନୁସାରେ ଏହି ଗ୍ୟାଙ୍ଗଷ୍ଟର୍‌ମାନେ ଦେଶର ଭିନ୍ନ ଭିନ୍ନ ଜେଲ୍ ବ୍ୟତୀତ କାନାଡା, ଦୁବାଇ, ପାକିସ୍ତାନରୁ ନିଜ ନିଜର ଗ୍ୟାଙ୍ଗ୍‌କୁ ପରିଚାଳିତ କରୁଛନ୍ତି । ଏହି ଗ୍ୟାଙ୍ଗ୍‌ଷ୍ଟର୍‌ମାନେ ବିଦେଶରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଗାଇ ଦେଶରେ ଟାର୍ଗେଟ୍ କିଲିଂ କରାଉଛନ୍ତି । ଲରେନ୍ସ ପାକିସ୍ତାନରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂହ ରିଣ୍ଡାର ନିକଟତମ ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.