ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି, ୪ବର୍ଷରେ ମିଳିବ ୟୁଜି ଅନର୍ସ ଡିଗ୍ରୀ

23

ଭୁବନେଶ୍ୱର: ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପାଠ ପଢ଼ିବାକୁ ହେବ । ଏ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସୋମବାର ଘୋଷଣା କରାଯାଇଛି । ଜାତୀୟ ଶିକ୍ଷାନୀତି ଅନୁସାରେ ପୂର୍ବରୁ ୟୁଜିସି ଏ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲା । ସୋମବାର ଏ ସମ୍ପର୍କରେ ୟୁଜିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଡିମ୍‌ଡ ୟୁନିଭରସିଟି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଯାଇଛି । ସ୍ନାତକ ପାଇଁ ପ୍ରସ୍ତୁତ ହୋଇଥିବା କରିକୁଲମ ଆଣ୍ଡ୍ କ୍ରେଡିଟ୍ ଫ୍ରେମୱାର୍କକୁ ଲାଗୁ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଏହି ନୂତନ ନିୟମାନୁସାରେ,ଏଣିକି ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡର ଗ୍ରାଜୁଏଶନ (ୟୁଜି) ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀ ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ । ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢ଼ିବାକୁ ପଡ଼ିବ । ତେବେ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ରଖାଯାଇଛି । ସେହିଭଳି ଯେଉଁ ଛାତ୍ରଛାତ୍ରୀ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ବର୍ଷିକିଆ ସାର୍ଟିଫିକେଟ୍ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ ।

Comments are closed, but trackbacks and pingbacks are open.