ସେପ୍ଟେମ୍ବର ୩୦ “ଓଡ଼ିଶା ବନ୍ଦ“ରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରଖିବା ପାଇଁ ନିବେଦନ : ନବନିର୍ମାଣ ଯୁବଛାତ୍ର ସଂଗଠନ
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ୩୯ ଦିନରେ ସତ୍ୟାଗ୍ରହ ଏବଂ ଅକ୍ଷୟ କୁମାରଙ୍କ ୨୨ ଦିନରେ ପହଞ୍ଚିଲା ଅନଶନ
ଭୁବନେଶ୍ୱର, ୨୭!୯: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୩୯ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ଆଜି ୨୨ ଦିନରେ ପହଞ୍ଚିଛି। ଏହି ୬ ଦଫା ଦାବିକୁ ନେଇ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର। ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଭୁବନେଶ୍ବରର ମାର୍କେଟ ବିଲ୍ଡିଂ, ଜୟଦେବ ଭବନ, ରାଜମହଲ, ମାଷ୍ଟର କ୍ଯାଣ୍ଟିନ୍, ଖାରରବେଳ ନଗର, ସତ୍ୟନଗର, ରୂପାଲି ଛକ ଆଦି ସ୍ଥାନରେ କାର ରାଲୀ ଓ ପ୍ରଚାର କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଶ୍ରୀ ଅଲ୍ଲୀ ନିବେଦନ କରିଥିଲେ।
ଆଜି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚି ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ଭୁଲକୁ ସରକାର ସ୍ୱୀକାର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇନାହିଁ। ସମ୍ବିଧାନ ଅନୁଯାୟୀ ଏଭଳି ଘଟଣାରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବା ନିହାତି ଆବଶ୍ୟକ। ପାଠ୍ୟପୁସ୍ତକରେ ଥିବା ଭୁଲକୁ ସୁଧାର ନକରିବା ଦ୍ୱାରା ପିଲାମାନଙ୍କ ଭବିଷ୍ୟତ ସହ ଖେଳାଯାଉଛି। ତୁରନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସଂଶୋଧନ କରିବା ସହ ଦାୟୀ ବ୍ୟକ୍ତିଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ସେ ଦାବି କରିଛନ୍ତି।
ଆଜିର ଅନଶନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ରାଜ୍ୟ ମହିଳା ଆବାହକ ମଧୁମିତା ସାମଲ, ବରିଷ୍ଠ ସାମାଜିକ କର୍ମୀ ବିଚିତ୍ର ବିଶ୍ବାଳ, ବଳରାମ ସେଠୀ, ଧନଞ୍ଜୟ ଜେନା, ଚାନ୍ଦିନୀ ପଣ୍ଡା, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ଭୁବନେଶ୍ବର ଯୁବଛାତ୍ର ସଭାପତି ଅମିତି ଜେନା, ସ୍ମୃତି ରଂଜନ ସାମଲ, ଏମ.ଡ଼ି ମନଓ୍ବର, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, କେନ୍ଦ୍ରାପଡ଼ାର ଅକୃର ପଲାଇ, ଗଞ୍ଜାମ ଛାତ୍ର ନେତା ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.