ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ରାହୁଲ ଗାନ୍ଧୀ , ହେମାମାଳିନୀ ଓ ଅରୁଣ ଗୋଭିଲଙ୍କ ପାଇଁ ପଡିବ ଭୋଟ୍

242

ନୂଆଦିଲ୍ଲୀ: ଦେଶ ଦେଉଛି ଭୋଟ୍। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟର ୮୮ ଲୋକସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ତେବେ କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮ , ମହାରାଷ୍ଟ୍ରର ୮ , ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫ , ଛତିଶଗଡର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏସବୁ ଭିତରେ ରହିଛି କେରଳ ସମସ୍ତ ୨୦ଟି ଯାକ ସିଟ୍ । ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ।

ଏସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର, ୧ହଜାର ୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ଲାଗି ୧ଲକ୍ଷ ୬୭ ହଜାର ପୋଲିଂ ବୁଥ୍ ର ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଓ ଉପଦୃତ ଏବଂ ସମ୍ବେଦନଶୀଳ ଅଞ୍ଚଳ ଗୁଡିକ ଉପରେ ସ୍ଵତନ୍ତ୍ର ଫୋକସ୍ ରଖାଯାଇଛି। ଆଜିର ଭୋଟ୍ ପରେ କେରଳ , ରାଜସ୍ଥାନ, ତ୍ରିପୁରାରେ ନିର୍ବାଚନ ସରିଯିବ ।

ତେବେ ମେ ୭ ତାରିଖରେ ୯୪ ସିଟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଶେଷକରି  ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରାହୁଲ ଗାନ୍ଧୀ,  କେରଳ ଥିରୁଅନନ୍ତପୁରମରୁ ଶଶି ଥରୁର ଏବଂ ଅଭିନେତାରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶ ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, ରାଜସ୍ଥାନ କୋଟାରୁ ଓମ୍ ବିର୍ଲା ଏବଂ ଯୋଧପୁରରୁ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ ।

Comments are closed, but trackbacks and pingbacks are open.