ମୋବାଇଲ ମାଡର ଶିକାର ହେଲେ ମୋଦି

17

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ରାସ୍ତାରେ ଚାଲି ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ । ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାଖରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦିଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା ।

ତେବେ ମୋଦିଙ୍କ ସହ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା । ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିଲା ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମାରେ ଉଡାଇଦେବା ଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ବୋମା ମାଡ କରି ହତ୍ୟା କରାଯିବାକୁ ମିଳିଥିଲା ଧମକ । ଏହା ସତ୍ୱେ କେରଳର କୋଚିରେ ପହଞ୍ଚି ବିଶାଳ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କ ଠାରୁ ଅଭିବାଦନ ନେଇଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

Comments are closed, but trackbacks and pingbacks are open.