ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବିମାନରେ ବାରାଣସୀ ଗଲେ ୪୦ ମୋଚି

17

ବାରାଣସୀ: ପ୍ରଧାନମନ୍ତୀଙ୍କ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ଦିଲ୍ଲୀର ୪୦ ଜଣ ମୋଚି ଫ୍ଲାଇଟ୍‌ରେ ଯାଇ ବାରାଣସୀ ପହଞ୍ଚିଛନ୍ତି । ପୂର୍ବଦିଲ୍ଲୀର ପୂର୍ବତନ ମେୟର୍ ଶ୍ୟାମସୁନ୍ଦର ଗୋୟଲ୍‌ଙ୍କ ଉଦ୍ୟମକ୍ରମେ ଶାହାଦରାର ସାଲିମାର ପାର୍କ ସଡ଼କ ପାଶ୍ୱର୍ରେ କାମ କରୁଥିବା ୪୦ ଜଣ ମୋଚି ଏହି ବିମାନ ଯାତ୍ରା କରିଛନ୍ତି । ଏହା ସହିତ କାଶୀ ବିଶ୍ୱନାଥ ମନ୍ଦିରରେ ସେମାନଙ୍କ ପୂଜାଅର୍ଚ୍ଚନାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ୪୦ ମୋଚିଙ୍କ ଏହି ଦଳ ବାରାଣସୀରେ ଦୁଇଦିନ ଅବସ୍ଥାନ କରିବେ । ଏହି ଅବସରରେ ସେମାନେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ସମେତ ଅନ୍ୟ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିବେ । ଏ ସମ୍ପର୍କରେ ପୂର୍ବତନ ମେୟର୍ ଶ୍ୟାମସୁନ୍ଦର ଗୋୟଲ୍ କହିଛନ୍ତି, ଉତ୍ତର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ସମାଜର ସବୁଠୁ ତଳସ୍ତରରେ ଥିବା ବ୍ୟକ୍ତିଙ୍କୁ ମୁଖ୍ୟଧାରାରେ ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୪୦ ମୋଚିଙ୍କୁ ବାରାଣସୀ ଯାତ୍ରା କରାଯାଇଛି । ଅନ୍ୟପକ୍ଷରେ ମୋଚିମାନଙ୍କ ଖୁସି କହିଲେ ନସରେ । ସେମାନେ କହିଛନ୍ତି, ବହୁ କଷ୍ଟରେ ଦୈନିକ ଦୁଇରୁ ତିନିଶହ ଟଙ୍କା ଉପାର୍ଜନ କରିଥାନ୍ତି । ଏପରି କ୍ଷେତ୍ରରେ ବିମାନ ଯାତ୍ରା ସେମାନଙ୍କ ପାଇଁ ଏକ ସ୍ୱପ୍ନ । ତେବେ ଆଜି ଶ୍ୟାମସୁନ୍ଦର ଗୋୟଲ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେମାନେ କହିଛନ୍ତି ।

Comments are closed, but trackbacks and pingbacks are open.