ପାଖେଇ ଆସୁଛି ନିର୍ବାଚନ : ଚାଲନ୍ତୁ ଜାଣିବା କିପରି ଚାଲିଛି ଦଳଗତ ପ୍ରସ୍ତୁତି

146

ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଲା । ଆସ୍ତେ ଆସ୍ତେ ସବୁ ପ୍ରସ୍ତୁତ ହେଲେଣି । ନେତାଠୁ ଆରମ୍ଭ କରି ଭୋଟର ସମସ୍ତେ ନିର୍ବାଚନ ପାଇଁ ହେଲେଣି ପ୍ରସ୍ତୁତ । ଆଉ ହାତରେ ମାତ୍ରେ ୮ ମାସ ସମୟ । ଆଉ ଯଦି ଆଗୁଆ ନିର୍ବାଚନ ହୁଏ ତେବେ ସମୟ ହିଁ ନାହିଁ କହିଲେ ଚଳେ । କେବଳ ଦଳୀୟ ନେତା ମାନେ ନୁହେଁ ଲୋକମାନେ ମଧ୍ୟ ଭୋଟ ଦେବ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି l କେଉଁ ଦଳକୁ ଭୋଟ ଦେବେ, କେଉଁ ଦଳ ଉନ୍ନତି ନିମନ୍ତେ କାର୍ଯ୍ୟ କରିବ ଏସବୁ ନେଇ ଏବେ ଚାରିଆଡେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି l

ଏହାରି ଭିତରେ ସଙ୍ଗଠନ ସଜାଡିବାକୁ ତିନି ପ୍ରମୁଖ ଦଳ ସୁଦୃଢ଼ ହେବାକୁ ଆରମ୍ଭ କରିଦେଇଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ନିଜର ଦମ୍ ଦେଖାଇଲେଣି । ମାଳମାଳ ସଭା ସମିତି ହେଉଛି । ଦଳର ବିଜୟ କିପରି ହାସଲ କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି l ଏଥିସହ ନିର୍ବାଚନ ପାଇଁ ପଞ୍ଚାୟତଠୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି କର୍ମୀଙ୍କ ଭିତରେ ବି ଉତ୍ସାହ ଦେଖିବାକୁ ମିଳୁଛି ।

ରାଜ୍ୟରେ ଏବେ ବିଜେଡି କ୍ଷମତାରେ ଅଛି l ତେଣୁ ପୁଣି ଥରେ କ୍ଷମତାକୁ ଫେରିବାକୁ ଅଙ୍କ କଷା ଚାଲିଛି l ଏବେ ସବୁଠୁ ଶକ୍ତିଶାଳୀ ଦଳ ଭାବରେ ଟିମ୍ ନବୀନ ସବୁଠି ଆଗରେ । ଦକ୍ଷ ଶାସକ ସହିତ ନବୀନ ଲୋକଙ୍କ ହୃଦୟରେ ଘର କରି ନେଇଛନ୍ତି । ସବୁଠି ସବୁ ସ୍ଥାନରେ ବିଜେଡି ଆଗରେ ରହିବାକୁ ଚେଷ୍ଟା କରିଛି । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିଛି । ଏପରିକି ଗତ ଉପନିର୍ବାଚନରେ ବିଜେଡି ଏକତରଫା ମ୍ୟାଚ ଜିତିଥିଲା । ଆଉ ବିଭିନ୍ନ ସର୍ଭେ ବି ବିଜେଡି ସପକ୍ଷରେ ରହିଛି । ସେପଟେ ଗାନ୍ଧୀ ଜୟନ୍ତୀଠୁ ଆହୁରି ଶକ୍ତିଶାଳୀ ହେବ ବିଜେଡି । ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ସାରା ଲିଫ୍ ଲେଟ୍ ବାଣ୍ଟିବ ବିଜେଡି । ରାଜ୍ୟ ସରକାରଙ୍କ ୨୦ଟି ବିକାଶ ମୂଳକ ଯୋଜନାର ବାର୍ତ୍ତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ ଶାସକ ଦଳ । ଯେଉଁଥିପାଇଁ ବୈଠକ କରି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ସହ ଅନ୍ୟାନ୍ୟ ପ୍ରମୁଖ ବିକାଶ ଯୋଜନା ନେଇ ଲୋକଙ୍କୁ ସଚେତନ ମଧ୍ୟ କରିବ ଦଳ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ସରକାର ବିରୋଧରେ ବିଜେପି ଚାର୍ଜସିଟ ପ୍ରସ୍ତୁତ କରିଛି । ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା, ବିଜୁଳି ଦୁର୍ନୀତି, ଡେଙ୍ଗୁ ନିୟନ୍ତ୍ରଣରେ ସ୍ଵାସ୍ଥ୍ୟ ବିଭାଗର ଅପାରଗତା, କୃତ୍ରିମ ବନ୍ୟା, ନବ ଦାସ ହତ୍ୟା ପଛରେ ରହସ୍ୟ ଓ ଚାର୍ଜସିଟ୍ ସାର୍ବଜନୀନ, ଓଏସଏସସି, ଏଏସଓ , ଅତ୍ୟାବଶ୍ୟକ ସମଗ୍ରୀ ଦରଦାମ ବୃଦ୍ଧି, ଭୁବନେଶ୍ଵର ଉପକଣ୍ଠରେ ଜମି ଦୁର୍ନୀତି ଭଳି ୧୦୮ଟି ପ୍ରସଙ୍ଗରେ ଚାର୍ଜସିଟ ପ୍ରସ୍ତୁତ କରିଛି ବିଜେପି । ଏହା ସହ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ କରିଛି ଦଳ । ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ଚାଲିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ ବୋଲି କହିଛି ବିଜେପି ।

ସେହିପରି କଂଗ୍ରେସ ମଧ୍ୟ ଆରମ୍ଭ କରିବାକୁ ଯାଉଛି ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏଁ ଚାଲିବ ଅଭିଯାନ । ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ ।

୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧.୯ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୩୮.୩୭ ପ୍ରତିଶତରେ ପହଞ୍ଚିଛି । ବିଜେପିର ସାଂସଦଙ୍କ ସଂଖ୍ୟା ମଧ୍ୟ ୮ ରେ ପହଞ୍ଚିଛି । ୨୦୧୪ ଲୋକସଭାରେ ବିଜେଡିକୁ ୪୪.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ହ୍ରାସ ପାଇ ୪୨.୭୬ ପ୍ରତିଶତରେ ପହଞ୍ଚିଥିଲା । ୨୦୧୪ ଲୋକସଭାରେ ବିଜେପି ଓ ବିଜେଡି ମଧ୍ୟରେ ଭୋଟ ବ୍ୟବଧାନ ଥିଲା ୪୮ ଲକ୍ଷ ୬୪ ହଜାର ୧୨୭ । ହେଲେ ୨୦୧୯ ନିର୍ବାଚନରେ ବିଜେପି ବିଜେଡି ମଧ୍ୟରେ ଭୋଟ ଫରକ ମାତ୍ର ୧୦ ଲକ୍ଷ ୪୨ ହଜାର ୨୬୮ରେ ସୀମିତ ରହିଥିଲା । ସେହିପରି କଂଗ୍ରେସର ଭୋଟ ହାର ୨୦୧୪ ଲୋକସଭାରେ ୨୬.୪ ପ୍ରତିଶତ ଥିବା ବେଳେ ୨୦୧୯ରେ ୧୪.୭୩ ପ୍ରତିଶତକୁ ଖସି ଆସିଛି । ୧୯୯୫ରେ ବିଜେପିର ସ୍ଥିତି ଯାହା ଥିଲା । ଆଗାମୀ ଦିନରେ କଂଗ୍ରେସ ସେପରି ସ୍ଥିତି ହୋଇପାରେ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଦ୍ଵିମୁଖି ଲଢେଇ ହୋଇପାରେ ବୋଲି କୁହାଯାଉଛି l

ତେବେ ଯାହା ଜଣା ପଡିଛି ବିଜେଡ଼ିକୁ ଛାଡ଼ି କଂଗ୍ରେସ ଓ ବିଜେପି ନିର୍ବାଚନ ପାଇଁ ଏତେଟା ପ୍ରସ୍ତୁତ ହୋଇ ନାହାନ୍ତି । ସଙ୍ଗଠନ ବି ଏତେ ସୁଦୃଢ଼ ହୋଇନାହିଁ । ଗୋଟେ ପଟେ ବିଜେଡି ରାଜ୍ୟର ସଫଳତା ନେଇ ଚାରିଆଡେ ବିକାଶ ହୋଇଥିବା ଦର୍ଷାଉ ଥିବା ବେଳେ ମୋଦୀ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନେଇ ବିଜେପି ପ୍ରଚାରର ମୁଦ୍ଦା କରିଛି । ଆଉ କଂଗ୍ରେସ ଉଭୟଙ୍କ ବିଫଳତାକୁ ଦର୍ଶାଉଛି । ତେବେ ଆଗକୁ କୋଉ ପାଣି କୁଆଡେ ଯାଉଛି । ନିର୍ବାଚନ ନଦୀ ପାର ପାଇଁ କିଏ କାହା ସାହାଯ୍ୟ ଲୋଡୁଛି ତାହା ଦେଖିବାକୁ ବାକି ରହିଲା ।

Comments are closed, but trackbacks and pingbacks are open.