ଗାନ୍ଧି ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ

21

ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକମାସ ଧରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ କରିବ । ପଂଚାୟତ ଓ ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେଡି ଦଳ ଏଥର ପଦଯାତ୍ରା ମାଧ୍ୟମରେ ଜନ ସଚେତନତା ଅଭିଯାନ ନ କରି ‘ଶ୍ରମଦାନ’ ଓ ‘ରକ୍ତଦାନ’ ଭଳି ସମାଜସେବା କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ସହ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତ କରିଛି ।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଦଳର ସମସ୍ତ ବିଧାୟକ,ସାଂସଦ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ବ୍ଲକ ସଭାପତିମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି କି , କୋଭିଡ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳ ଚଳିତଥର ଅକ୍ଟୋବର ୨ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଜନ ସଚେତନତା ଅଭିଯାନ କରିବ ନାହିଁ। ତା’ ପରିବର୍ତ୍ତେ ‘ଶ୍ରମଦାନ’ ପରି ସମାଜ ସେବା କାର୍ଯ୍ୟକ୍ରମ କରି ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରୁଛି । ତେଣୁ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଓ ୧୧ତାରିଖ ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀକୁ ନିରାଡ଼ମ୍ବର ଭାବେ ପାଳନ କରି ସହ ଗାନ୍ଧି ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନେ, ଦଳର ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ କୋଭିଡ୍ ନିୟମ ପାଳନ କରି ଏହି ଗୁରୁତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟକ୍ରମକୁ ହାତକୁ ନେବା ନବୀନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ବିଜେଡି ଗତବର୍ଷ ଗାନ୍ଧିଜୟନ୍ତୀରେ ମଧ୍ୟ ନିରାଡମ୍ବର କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ତେବେ ଚଳିତବର୍ଷ ପ୍ରଥମଥର ପାଇଁ ସମାଜିକ ସେବା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛି।

Leave A Reply

Your email address will not be published.