ଖାଦ୍ୟ, ସଂଗ୍ରହ ନୀତି ୨୦୨୨-୨୩କୁ କ୍ୟାବିନେଟ୍ ମଞ୍ଜୁରୀ

21

ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବେ ବୋଲି ଲକ୍ଷ୍ୟଧାର୍ଯ୍ୟ ସୃଷ୍ଟି କରିଛନ୍ତି । ନଭେମ୍ବରରୁ ମାର୍ଚ୍ଚ ମାସ ଯାଏ ଖରିଫ୍ ପାଇଁ ମେ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ରବି ଋତୁ ପାଇଁ ଧାନ ସଂଗ୍ରହ କରିବେ । ଖରିଫ୍ ଚାଷରେ ୫୭ ଲକ୍ଷ ମେଟ୍ରିକ ଟନ୍ ଓ ରବି ଚାଷରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହେବ । ଏଥିସମ୍ପର୍କିତ ଖାଦ୍ୟ, ସଂଗ୍ରହ ନୀତି ୨୦୨୨-୨୩କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ଓ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ କରିଥିଲେ ହେଁ ତାହା ଠାରୁ ଅଧିକ ବି ସଂଗ୍ରହ ହୋଇପାରେ । ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ ସ୍ଥିର କରିବେ । କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ଶ୍ରୀ ମହାପାତ୍ର କହିଛନ୍ତି ଯେ, ନଭେମ୍ବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଖରିଫ୍ ଧାନ ସଂଗ୍ରହ କରାଯିବ ରବି ଧାନ ମେ’ରୁ ଜୁନ୍ ମଧ୍ୟରେ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର କାର୍ଡ଼ ଏକ ମାତ୍ର ପରିଚୟ ପତ୍ର ରହିବ । ସାଟେ୍‌ଲାଇଟ୍ ଇମେଜ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ଚାଷ ଜମିଗୁଡ଼ିକର ଶତପ୍ରତିଶତ କ୍ଷେତ୍ର ଯାଞ୍ଚ କରାଯିବ । ଧାନ ବିକ୍ରି ପାଇଁ ଆଗୁଆ ଏସ୍‌ଏମ୍‌ଏସ୍ ମାଧ୍ୟମରେ ସୂଚନା ଦିଆଯିବ । ପ୍ରାଥମିକ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Comments are closed, but trackbacks and pingbacks are open.